ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ: ୧୦ ହଜାର ୫ ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ

ନବ ଦିଗନ୍ତ ସମେତ ୧୫ ସଂସ୍ଥାକୁ ନୋଟିସ୍‌

କଟକ: ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ୨୦ଟି ଚିଟଫଣ୍ଡ ସଂସ୍ଥାର ୧୦ ହଜାର ୫ ଶହରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ସାଇନ ଇଣ୍ଡିଆ ଗ୍ରୁପର ସର୍ବାଧିକ ୩ ହଜାର ୫୩୪ ଜଣ କ୍ଷୁଦ୍ର ଜମାକାରୀ ରହିଥିବା ବେଳେ କୋଲକାତା ଓୟାର ଇଣ୍ଡଷ୍ଟ୍ରିଜ ଲିମିଟେଡର ୨ ହଜାର ୩୮୧ ଜଣ, ମିଡାସ ଟଚ୍‌ ଗ୍ରୁପର ୧ ହଜାର ୩୬ ଜଣ, ଗ୍ରିନ୍‌ ରେ ମାର୍କେଟିଂ ସର୍ଭିସେସର ୧ ହଜାର ୪୭ ଜଣ, ମିଡ୍‌ଇଷ୍ଟ ମଲ୍ଟିଷ୍ଟେଟ୍‌ କ୍ରେଡିଟ୍‌ କୋ-ଅପରେଟିଭର ୯ ଶହ ୫ ଜଣ, ସେଲ୍ଟର ଗ୍ରୁପର ୭୭୫ ଜଣ କ୍ଷୁଦ୍ର ଜମାକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ସବୁ ସଂସ୍ଥାର ମୁଖ୍ୟଙ୍କୁ କମିସନ୍‌ ନୋଟିସ୍‌ ଜାରି କରି ନିଜେ କିମ୍ବା ପ୍ରତିନିଧିଙ୍କ ମାଧ୍ୟମରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାମଲାର ଶୁଣାଣି ସମୟରେ ଏହି ସବୁ ସଂସ୍ଥାର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଜମାକାରୀଙ୍କ ସତ୍ୟପାଠକୁ ଗ୍ରହଣ କରି କମିସନ୍‌ ଏହି ସବୁ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏହି ଜମାକାରୀଙ୍କ ପ୍ରସଂଗରେ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଉଲ୍ଲେଖ କରାଯିବ ବୋଲି କମିସନଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ଏଥି ସହିତ ଚତୁର୍ଥ ପର୍ଯ୍ୟାୟର ସତ୍ୟପାଠ ଯାଞ୍ଚ ପରେ କମିସନ୍‌ ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍‌ ସମେତ ୧୫ଟି ଚିଟଫଣ୍ଡ ସଂସ୍ଥାକୁ ସାନି ନୋଟିସ୍‌ ଜାରି କରିଛନ୍ତି। ନବଦିଗନ୍ତ ପରିଚାଳନା ନିର୍ଦ୍ଦେଶକ ଅଞ୍ଜନ କୁମାର ବଳିୟାରସିଂଙ୍କୁ ନୋଟିସ୍‌ ଜାରି କରି କମିସନ୍‌ ଡିସେମ୍ବର ୧୯ରେ ହଜାର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର