ଜଷ୍ଟିସ ରଫିକ୍ ହୋଇପାରନ୍ତି ନୂଆ ମୁଖ୍ୟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଜଷ୍ଟିସ ମହମ୍ମଦ ରଫିକଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସେ ଏବେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପ୍ରସ୍ତାବ ଗ୍ରହଣ କରିବା ସହିତ ଏ ସଂପର୍କିତ ସୁପାରିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି।

ଜଷ୍ଟିସ ରଫିକ ୨୦୧୯ ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପୂର୍ବରୁ ସେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।

୧୯୬୦ ମେ୨୫ରେ ସେ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୦ରେ ବି.କମ୍ ପାସ କରିବା ପରେ ୧୯୮୪ରେ ଏଲଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ଏମ.କମ୍ ପାସ୍ କରିଥିଲେ। ୧୯୮୪ ଜୁଲାଇରେ ସେ ଓକିଲାତି ପେସାରେ ଯୋଗ ଦେଇଥିଲେ। ରାଜସ୍ଥାନ ସରକାରଙ୍କ ଆସିଷ୍ଟାଣ୍ଟ ଗଭର୍ଣ୍ଣ‌ମେଣ୍ଟ ଆଡଭୋକେଟ ଓ ଡେପୁଟି ଗଭର୍ଣ୍ଣ‌ମେଣ୍ଟ ଆଡଭୋକେଟ ଭାବେ ସେ କାର୍ଯ୍ୟ କରିଥିଲେ। ଏଥି ସହିତ ସେ ରାଜସ୍ଥାନ ହାଇକୋର୍ଟରେ ୧୯୯୨ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୯୯, ଜାନୁଆରି ୭ରେ ତାଙ୍କୁ ରାଜସ୍ଥାନ ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ୨୦୦୬, ମେ ୧୫ରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଜ କାର୍ଯ୍ୟକାଳ ଭିତରେ ସେ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୯, ଏପ୍ରିଲ ୭ରୁ ମେ ୪ ଓ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ସେ ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ସୂଚନାଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କେ.ଏସ.ଜାଭେରୀଙ୍କ ଅବସର ଗ୍ରହଣ ପରେ ୨୦୧୯, ଜାନୁଆରି ୫ରେ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର