ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ: ୧୨ ହଜାର କ୍ଷୁଦ୍ର ଜମାକରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ ୫୦ଟି ଅର୍ଥ ଲଗାଣକାରୀ ସଂସ୍ଥାର ପ୍ରାୟ ୧୨ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ବାସିଲ ଇଣ୍ଟରନ୍ୟାସନାଲ ଲିମିଟେଡର ୬ ହାଜର ୭୭୨, ଆସୋର ଗ୍ରୁପର ୨ ହଜାର ୯୯ ଓ ଆଞ୍ଜେଲ ଏଗ୍ରିଟେକ୍‌ ଗ୍ରୁପର ୧ ହଜାର ୬୬୫ କ୍ଷୁଦ୍ର ଜମାକାରୀ ରହିଛନ୍ତି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ ଏହି ସବୁ ସଂସ୍ଥାର ପଦାଧିକାରୀଙ୍କୁ କ୍ଷୁଦ୍ର ଜମାକାରୀଙ୍କ ଦାବି ଉପରେ ପକ୍ଷ ରଖିବାକୁ କମିସନ୍‌ ନୋଟିସ୍‌ ଜାରି କରିଥିଲେ। କେତେକ ସଂସ୍ଥାର ପଦାଧିକାରୀ ସେମାନଙ୍କ ପୁରୁଣା ଠିକଣାରେ ନଥିବାରୁ ନୋଟିସ୍‌ ଫେରି ଆସିଥିବା ବେଳେ ଅନ୍ୟ କେତେକ ନୋଟିସ୍‌ ପାଇ କମିସନଙ୍କ ନିକଟରେ ହାଜର ହୋଇ ନଥିଲେ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ମଧ୍ୟ କେତେକ ସଂସ୍ଥାର ପଦାଧିକାରୀଙ୍କ ଠିକ ଠିକଣା ପ୍ରଦାନ କରି ପାରି ନଥିଲା। ଏପରି ପରିସ୍ଥିତିରେ ଖବର କାଗଜ ପ୍ରକାଶନ ମାଧ୍ୟମରେ କେତେକ ଚିଟଫଣ୍ଡ ସଂସ୍ଥାକୁ ନୋଟିସ୍‌ ଜାରି କରି କମିସନ୍‌ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନୋଟିସ୍‌ ସତ୍ୱେ ଅଧିକାଂଶ ସଂସ୍ଥାର ପଦାଧିକାରୀ ତଦନ୍ତ ମାମଲାର ଶୁଣାଣି ସମୟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଜମାକାରୀଙ୍କ ସତ୍ୟପାଠକୁ ଗ୍ରହଣ କରି କମିସନ୍‌ ଏହି କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏହି ଜମାକାରୀଙ୍କ ପ୍ରସଂଗରେ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଉଲ୍ଲେଖ କରାଯିବ ବୋଲି କମିସନଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର