କଟକ: ବୃହତ ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ବନ୍ଦ ହେବ। ଜଣିକିଆ ବିଚାରବିଭାଗୀୟ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ କରିବେ। ଚିଟ୍ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ତଦନ୍ତ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ସୀମିତ ରହିବ। ଏଭଳି ନିଷ୍ପତ୍ତି ସରକାର ଗ୍ରହଣ କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଚିଟ୍ଫଣ୍ତ୍ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ୍ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତାଠାରୁ କମ୍ ପୁ୍ଞ୍ଜି ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସ˚କ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ମୂଳ ଟର୍ମ ଅଫ୍ ରେଫରେନ୍ସରେ ସରକାର ସଂଶୋଧନ କରି ଏବେ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏ ନେଇ ଖୁବ୍ଶୀଘ୍ର ଗେଜେଟ ନୋଟିଫିକେସନ୍ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏପରି ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ, ତେବେ ବୃହତ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟାର ଭବିଷ୍ୟତ କଣ ହେବ ତାହା ଅସ୍ପଷ୍ଟ। ପ୍ରଥମ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅକ୍ଟୋବର ୩୧ ତାରିଖ ମଧ୍ୟରେ ଦାଖଲ ୮ଲକ୍ଷ ୧୭ହଜାର ୨୫୩ଟି ଠିକ୍ ସତ୍ୟପାଠ ଓ ୭୯ହଜାର ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଯାଞ୍ଚ କରି କମିସନ୍ ସରକାରଙ୍କୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏ ପର୍ଯ୍ୟନ୍ତ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ସାରିଥିବା ବେଳେ ଏବେ ଉଭୟ କ୍ଷୁଦ୍ର ଓ ବୃହତ ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଜାରି ରହିଛି। ଗତ ଦୁଇ ମାସ ତଳେ କମିସନ୍ ଚିଟଫଣ୍ଡ କମ୍ପାନି ଗୁଡିକୁ ବୃହତ ଜମାକାରୀଙ୍କ ପ୍ରସଂଗରେ ନୋଟିସ୍ ଜାରି ଆରମ୍ଭ କରିଥିବା ବେଳେ ନଭେମ୍ବର ଶେଷ ସପ୍ତାହରୁ ତଦନ୍ତ ମାମଲା ଗୁଡିକର ଶୁଣାଣି ଆରମ୍ଭ ହୋଇଥିଲା। ବୃହତ ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଜାରି ରହିଥିବା ବେଳେ ସରକାରଙ୍କ ଏପରି ନିଷ୍ପତ୍ତି ପରେ ବୃହତ ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଆଗେଇବ କି ନାହିଁ, ତାହାକୁ ନେଇ ସନ୍ଦେହ ଦେଖା ଦେଇଛି।
ଅନ୍ୟପକ୍ଷରେ ଦ୍ବିତୀୟ ପର୍ଯ୍ୟାୟରେ ୨୦୧୮, ନଭେମ୍ବର ୧୩ରୁ ୨୦୧୯, ଜାନୁଆରି ୩୧ ମଧ୍ୟରେ ଦାଖଲ ପ୍ରାୟ ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ୍ ସଂପର୍କିତ ପ୍ରସ୍ତାବକୁ ସରକାର ଗତ ଅକ୍ଟୋବରରେ ଅନୁମତି ଦେଇଥିଲେ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)କୁ ସତ୍ୟପାଠ ଗୁଡିକ ଡିଜିଟାଇଜେସନ୍ ଦାୟିତ୍ବ ଦିଆଯାଇଥିଲା। ଏ ନେଇ ଗୃହ ବିଭାଗ ପକ୍ଷରୁ ଓକାକ୍କୁ ଚିଠି ଲେଖାଯାଇଥିଲା। ଏ ନେଇ ଓକାକ୍ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ୨୦୨୦, ଜାନୁଆରି ୩ ତାରିଖ ଟେଣ୍ଡର ଦାଖଲ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଟେଣ୍ଡର ଆହ୍ବାନ ପରେ ୧୧ ମାସ ହେବ କମିସନଙ୍କ କାର୍ଯ୍ୟାଳୟରେ ପଡି ରହିଥିବା ପ୍ରାୟ ୭ ଲକ୍ଷ ସତ୍ୟପାଠର ତଦନ୍ତ ପାଇଁ ବାଟ ଫିଟିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୩ରେ ଚିଟଫଣ୍ତ କମ୍ପାନି ଗୁଡିକର ଶିକାର ବହୁ ଜମାକରୀ ନିର୍ଦ୍ଧାରିତ ସମୟ ସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନଥିଲେ। ଏପରି ଜମାକାରୀଙ୍କ ପାଇଁ କମିସନ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟ ସୀମା ଭିତରେ ୪ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିବା ବେଳେ ବହୁ ଜମାକାରୀ ବିଭିନ୍ନ କାରଣରୁ ଏହି ସୁଯୋଗର ଫାଇଦା ନେଇ ପାରି ନଥିଲେ। ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁ କମିସନଙ୍କୁ ଅନୁରୋଧ କରିଥିଲେ। ଏହା ପରେ ସତ୍ୟପାଠ ଦାଖଲ ସମୟସୀମା ୨୦୧୯, ଜାନୁଆରି ୩୧ ପର୍ଯ୍ୟନ୍ତ କମିସନ ବୃଦ୍ଧି କରିଥିଲେ। କ୍ଷତିଗ୍ରସ୍ତ ଜମାକାରୀ ରେଜିଷ୍ଟ୍ରି, ଷ୍ପିଡ୍ ପୋଷ୍ଟ ଓ କୋରିଅର ଜରିଆରେ ନିଜ ନାଁ ଓ ଠିକଣା ସହିତ ଜମା ଟଙ୍କା ସ˚ପର୍କିତ ତଥ୍ୟ ଓ କମ୍ପାନିର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିଥିଲେ। ପ୍ରାୟ ୭ ଲକ୍ଷ ସତ୍ୟପାଠ ଏହି ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/download-8.jpg)