ଜଷ୍ଟିସ ଏମ.ଏମ୍.ଦାସଙ୍କ ଶୁଣାଣି ବନ୍ଦ, ଚିଟ୍‌ଫଣ୍ଡ ତଦନ୍ତରେ ପୂର୍ଣ୍ଣଚ୍ଛେଦ!

କଟକ: ଚିଟ୍‌ଫଣ୍ତ୍‌ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ ଆଉ ଶୁଣାଣି କରିବେ ନାହିଁ। ଆଜିଠାରୁ କମିସନ୍ ଶୁଣାଣି ବନ୍ଦ ରଖିଛନ୍ତି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ରେ ଶେଷ ହୋଇଥିବାବେଳେ ଆଉଥରେ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନାହିଁ। ଏପରି ପରିସ୍ଥିତିରେ କମିସନ ଆଉ ବସିବେ ନାହିଁ ବୋଲି ଆଜି ନୋଟିସ୍ ଜାରି କରାଯାଇଛି। କମିସନଙ୍କ କଟକ ବକ୍ସିବଜାର ପୁଲିସ ଲାଇନସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପରି ପରିସ୍ଥିତିରେ ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀକୁ ନେଇ ୨୦୧୩ରୁ ଚାଲିଥିବା ବିଚାରବିଭାଗୀୟ ତଦନ୍ତ ଓ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଥିବା କୁହାଯାଉଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଚିଟ୍‌ଫଣ୍ତ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷଥର ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବାବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରକାର ଏହା ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରୁଥିବାବେଳେ ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଏଥର ମଧ୍ୟ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଧି ବୃଦ୍ଧି ପାଇଁ ସରକାରଙ୍କୁ ଚିଠି ଲେଖା ଯାଇଥିଲା। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ ତାରିଖରୁ ଶେଷ ହୋଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ନଥିଲା। ଅନ୍ୟପକ୍ଷରେ କମିସନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯିବା କି ନାହିଁ ସେ ନେଇ ମଧ୍ୟ ସରକାର କିଛି ସ୍ପଷ୍ଟ କରି ନଥିଲେ। କାର୍ଯ୍ୟକାଳ ବୃଦ୍ଧି ପ୍ରସଂଗରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ରିମାଇଣ୍ଡର ମଧ୍ୟ ପଠା ଯାଇଥିଲା। କିନ୍ତୁ ଏହା ପରେ ବି ସ୍ଥିତି କିଛି ସ୍ପଷ୍ଟ ହୋଇ ନଥିଲା। ସରକାର କାର୍ଯ୍ୟକାଳ ବୃଦ୍ଧି ନ କରିବାରୁ କମିସନଙ୍କ ପକ୍ଷରୁ ଆଉ ମାର୍ଚ୍ଚ ୩ରୁ ସିଟିଂ ନ କରିବା ପାଇଁ ନୋଟିସ୍ ପ୍ରକାଶ ପାଇଛି। ଏଭଳି ବିଚିତ୍ର ପରିସ୍ଥିତିରେ ଜମାକାରୀମାନେ ଆଶଙ୍କା ଭିତରେ ରହିଛନ୍ତି ଓ ଚିଟଫଣ୍ଡ ତଦନ୍ତର ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି।

ସମ୍ବନ୍ଧିତ ଖବର