କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ୍‌ ପରେ ୨୩ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ ୧୦ ହଜାର ୨୨୬ ଜଣ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରିଛନ୍ତି। ଏଥି ମଧ୍ୟରେ ପଶ୍ଚିମବଙ୍ଗର ଆଞ୍ଜେଲ ଏଗ୍ରିଟେକ୍‌ ସଂସ୍ଥାର ୬ ହଜାର ୪୪୧ ଜଣ ଓ ଆଦର୍ଶ ମଲ୍ଟିପରପୋଜ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜର ୧ହଜାର ୯୪୨ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ନୋଟିସ୍‌ ଜାରି କରାଯାଇଥିବା ସଂସ୍ଥା ଗୁଡିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ପଞ୍ଜାବର କେତେକ କମ୍ପାନି ରହିଛି। ଏହି ସଂସ୍ଥା ଗୁଡିକ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସେପ୍ଟେମ୍ବର ମାସରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସଂସ୍ଥାର ମୁଖ୍ୟ, ନିର୍ଦ୍ଦେଶକ ନିଜେ କମ୍ବା ପ୍ରତିନିଧିଙ୍କ ମାଧ୍ୟମରେ କମିସନଙ୍କ ନିକଟରେ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପ୍ରଥମେ ସିସୋର ଓ ଅର୍ଥତତ୍ତ୍ୱକୁ କମିସନ୍‌ ସାନି ନୋଟିସ୍‌ ଜାରି କରିଥିଲେ। ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ୪ ହଜାର ୨୨୯ ଜଣ ଓ ଅର୍ଥତତ୍ତ୍ୱ ଏମଡି ପ୍ରଦୀପ ସେଠୀଙ୍କୁ ୧ହଜାର ୬୦୭ ଜଣ କ୍ଷୁଦ୍ର ଜମାକାରୀଙ୍କ ଦାବି ସଂପର୍କରେ କାରଣ ଦର୍ଶାଇବାକୁ କମିସନ୍‌ ନୋଟିସ ଜାରି କରିଥିଲେ।