ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌: ୧୨ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ଜଷ୍ଟିସ ମଦନ ମୋହନ ଦାସ କମିସନ ୨୫ଟି ଚିଟଫଣ୍ଡ ସଂସ୍ଥାର ପ୍ରାୟ ୧୨ ହଜାର କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ସାଇନ ଇଣ୍ଡିଆ ଗ୍ରୁପର ୮ ହଜାର ୬୮୯ ଜଣ କ୍ଷୁଦ୍ର ଜମାକରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି) ରହିଛନ୍ତି। ଏଥି ସହିତ ସର୍ବୋଦୟ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ୧୨୮୫ ଓ ଏସଏଲବି ଗ୍ରୁପ ଅଫ୍‌ କମ୍ପାନିଜ୍‌ର ୭୧୨ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍‌ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ଏହି ସବୁ ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଥିଲା। ବାରମ୍ବାର ନୋଟିସ୍‌ ଜାରି ସତ୍ତ୍ୱେ ଶୁଣାଣି ସମୟରେ ଏହି ସବୁ ସଂସ୍ଥାର ପଦାଧିକାରୀ କିମ୍ବା ପ୍ରତିନିଧି କମିସନଙ୍କ ନିକଟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ପୂର୍ବରୁ ଦାଖଲ କରାଯାଇଥିବା ସତ୍ୟପାଠ ଆଧାରରେ କମିସନ ଏହି ସବୁ କମ୍ପାନି ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଚିହ୍ନଟ କରାଯାଇଥିବା ଏହି କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯିବ ବୋଲି କମିସନଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କରି କମିସନ୍‌ଙ୍କ ପକ୍ଷରୁ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାକୁ ନୋଟିସ୍‌ ଜାରି କରାଯାଉଛି।

ସମ୍ବନ୍ଧିତ ଖବର