ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ : ସତ୍ୟପାଠ ଦାଖଲର ଶେଷ ତାରିଖ ଡିସେମ୍ବର ୩୧

କଟକ : ଚିିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ ତଦନ୍ତ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲର ଶେଷ ତାରିଖ ଡିସେମ୍ବର ୩୧ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଂଗ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ବହୁ କ୍ଷତିଗ୍ରସ୍ତ ଜମାକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସତ୍ୟପା‌ଠ ଦାଖଲ କରିବା ନେଇ ଆଶଙ୍କା ଦେଖା ଦେଇଛି। ବିଭିନ୍ନ ଅର୍ଥ ଲଗାଣକାରୀ ସ˚ସ୍ଥାରେ ନିବେଶ କରି ଜମା ଟଙ୍କା ଫେରି ପାଇ ନଥିବା ଜମାକାରୀ ୨୦୧୮, ଡିସେମ୍ବର ୩୧ ତାରିଖ ସୁଦ୍ଧା କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରି ପାରିବେ ବୋଲି ଗତ ନଭେମ୍ବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରେଜିଷ୍ଟ୍ରି ବା ଷ୍ପିଡ୍‌ ପୋଷ୍ଟ ଜାରିଆରେ ଜମାକାରୀ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରି ପାରିବେ। ଜମାକାରୀ ନିଜ ନାଁ ଓ ଠିକଣା ସହିତ ଜମାଟଙ୍କା ସ˚ପର୍କିତ ତଥ୍ୟ ଓ କମ୍ପାନିର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଆନ୍ଦୋଳନ ଯୋଗୁ ସମ୍ବଲପୁର, ବରଗଡ, ସୋନପୁର,କଳାହାଣ୍ଡି,ଝାରସୁଗୁଡା, ବଲାଙ୍ଗୀର ଆଦି ବିଭିନ୍ନ ଜିଲ୍ଲାରେ ଅଦାଲତ, ପୋଷ୍ଟ ଅଫିସ ସହିତ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା କିଛି ଦିନ ହେବ ଲାଗି ରହିଛି। ଏପରି ସ୍ଥିତିରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ କମିସନଙ୍କ ନିକଟରେ ନିର୍ଦ୍ଧାରିତ ସମୟସୀମା ଭିତରେ ସତ୍ୟପାଠ ଦାଖଲ କରିବା ସମ୍ଭବ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଗୋଟିଏ ପଟେ ଅଦାଲତରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଅନ୍ୟପଟେ ପୋଷ୍ଟ ଅଫିସ ଖୋଲୁନି। ଏପରି ପରିସ୍ଥିତିରେ ଜମାକାରୀ କିପରି ସତ୍ୟପାଠ କରିବେ ଓ କମିସନଙ୍କ ନିକଟକୁ ଏହା କେମିତି ପଠାଇବେ ତାହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ସତ୍ୟପାଠ ଦାଖଲ ପାଇଁଁ ସୁବର୍ଣ୍ଣ ସୁଯୋଗ ହୋଇଥିବା ବେଳେ ଏହାର ଫାଇଦା ପଶ୍ଚିମ ଓଡ଼ିଶାର ଜମାକରୀ କିପରି ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରି ପରିସ୍ଥିତିରେ ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରାଯିବା ସପକ୍ଷରେ କେତେକ ମତ ପ୍ରକାଶ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଚିଟଫଣ୍ତ୍‌ ଘଟଣାର ତଦନ୍ତ ପାଇଁ ଗଠିତ ବିଚାରବିଭାଗୀୟ କମିସନଙ୍କ ଆହ୍ବାନ କ୍ରମେ ୨୦୧୩ରେ ଜମାକାରୀମାନେ ସତ୍ୟପାଠ ଦାଖଲ କରିଥିଲେ। ସେତେବେଳେ ଦାଖଲ ସତ୍ୟପାଠ ଆଧାରରେ କମିସନ୍‌ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଉଛି। ସେତେବେଳେ ଚିଟଫଣ୍ତ କମ୍ପାନି ଗୁଡିକର ଶିକାର ବହୁ ଜମାକରୀ ନିର୍ଦ୍ଧାରିତ ସମୟ ସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନଥିଲେ। ଏପରି ଜମାକରୀଙ୍କ ପାଇଁ କମିସନଙ୍କ ସାନି ବିଜ୍ଞପ୍ତି ଏକ ସୁଯୋଗ ଆଣି ଦେଇଛି। କମିସନଙ୍କ ରିପୋର୍ଟ ଆଧାରରେ ଜମାକରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରସ୍ତ କରାଯାଉଥିବା ବେଳେ ଏପରି ବିଜ୍ଞପ୍ତି ବହୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ମନରେ ଟଙ୍କା ଫେରି ପାଇବାର ଆଶା ସଞ୍ଚାର କରିଛି।

ସମ୍ବନ୍ଧିତ ଖବର