ଜଷ୍ଟିସ୍ ଏମ୍‌.ଏମ୍‌.ଦାସ କମିସନ୍‌ : ବଡ଼ ଜମାକାରୀଙ୍କ ତଦନ୍ତ ଆରମ୍ଭ, ଫାଇଲ୍‌ରେ ଡିଜିଟାଇଜେସନ୍ ପ୍ରସ୍ତାବ, ଯାଞ୍ଚ ‌ଅପେକ୍ଷାରେ ୭ ଲକ୍ଷ ନୂଆ ସତ୍ୟପାଠ

କଟକ : ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ବଡ଼ ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୧୩ରେ ଦାଖଲ ସତ୍ୟପାଠକୁ ଯାଞ୍ଚ କରି ବଡ଼ ଜମାକରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର କମିସନ୍ ଏହି ପ୍ରସଙ୍ଗରେ ଚିଟଫଣ୍ଡ କମ୍ପାନିଗୁଡ଼ିକୁ ନୋଟିସ୍ ଜାରି କରିବେ ବୋଲି ସୂଚନା ମିଳିଛି। ସେପଟେ କମିସନ୍ ପୂର୍ବରୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ କରି ସରକାରଙ୍କୁ ସାତଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ବର୍ତ୍ତମାନ ବି କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ବଡ଼ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ଫଳରେ ଅଧିକ ଟଙ୍କା ହରାଇଥିବା କ୍ଷତିଗ୍ରସ୍ତଙ୍କ ମନରେ ଆଶାର ସଞ୍ଚାର ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅକ୍ଟୋବର ୩୧ ତାରିଖ ସୁଦ୍ଧା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ୮ଲକ୍ଷ ୧୭ ହଜାର ୨୫୩ଟି ସଠିକ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ ହୋଇଥିଲା। ଏହା ସହିତ ୭୯ହଜାର ତ୍ରୁଟିପୂର୍ଣ୍ଣ ସତ୍ୟପାଠ ମଧ୍ୟ ଏହି ସମୟ ମଧ୍ୟରେ ଦାଖଲ କରାଯାଇଥିଲା। ୨୦୧୩ରେ ଦାଖଲ ସତ୍ୟପାଠଗୁଡ଼ିକ ଯାଞ୍ଚ କରି କମିସନ୍ ସରକାରଙ୍କୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏ ପର୍ଯ୍ୟନ୍ତ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ଖୁବ୍ ଶୀଘ୍ର ଆଉ ଏକ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ୨୦୧୯, ମେ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତକୁ ଆଧାର କରି କମିସନ୍ ଗତ ଜୁଲାଇ ୧୨ରେ ସପ୍ତମ ରିପୋର୍ଟ ପ୍ରଦାନ କରିଥିଲେ। ମିଳିଥିବା ତଥ୍ୟ ଅନୁସାରେ କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨ ହଜାର କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। କ୍ଷୁଦ୍ର ଜମାକରୀଙ୍କ ଚିହ୍ନଟ ପରେ ଆଉ ପ୍ରାୟ ୩ ଲକ୍ଷ ୭୫ ହଜାର ସତ୍ୟପାଠର ଯାଞ୍ଚ କରାଯାଇ କ୍ଷତିଗ୍ରସ୍ତ ବଡ଼ ଜମାକାରୀଙ୍କୁ ଚିହ୍ନଟ କରାଯିବ।

ଅନ୍ୟପକ୍ଷରେ ପ୍ରାୟ ୭ ଲକ୍ଷ ସତ୍ୟପାଠ କମିସନଙ୍କ ନିକଟରେ ପଡ଼ି ରହିଛି। ନିକଟ ଅତୀତରେ ଦାଖଲ ହୋଇଥିବା ପ୍ରାୟ ୭ ଲକ୍ଷ ସତ୍ୟପାଠ ଡିଜିଟାଇଜ୍ ହେବା ପରେ ଯାଞ୍ଚ କରାଯିବ। ଏହିସବୁ ସତ୍ୟପାଠ ଡିଜିଟାଇଜେସନ୍ ପ୍ରସ୍ତାବ ପ୍ରସଂଗରେ କମିସନ୍ ସରକାରଙ୍କୁ ପ୍ରାୟ ୭ ମାସ ତଳେ ଚିଠି ଲେଖିଥିଲେ। ଏପରି ପ୍ରସ୍ତାବ ସରକାରଙ୍କ ନିକଟରେ ଏବେ ବିଚାରାଧୀନ ରହିଛି। ସରକାରଙ୍କ ଅନୁମୋଦନ ମିଳିବା ପରେ ଏହି ସତ୍ୟପାଠଗୁଡ଼ିକୁ ଡିଜିଟାଇଜେସନ୍ କରାଯିବ ଓ ଏହା ପରେ ଯାଞ୍ଚ ପ୍ରକ୍ରିୟାରେ ଅଗ୍ରଗତି ହେବ। ସରକାରଙ୍କ ଅନୁମତି ମିଳିବାରେ ବିଳମ୍ବ ଯୋଗୁଁ ଲକ୍ଷାଧିକ ସତ୍ୟପାଠ ଯାଞ୍ଚ ପ୍ରସଂଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ୨୦୧୩ରେ ଚିଟଫଣ୍ତ କମ୍ପାନିଗୁଡ଼ିକ ଦ୍ବାରା ଠକାମିର ଶିକାର ବହୁ ଜମାକାରୀ ନିର୍ଦ୍ଧାରିତ ସମୟସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନ ଥିଲେ। ଏପରି ଜମାକରୀଙ୍କ ପାଇଁ କମିସନ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟସୀମା ଭିତରେ ୪ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିବା ବେଳେ ବହୁ ଜମାକାରୀ ବିଭିନ୍ନ କାରଣରୁ ଏହି ସୁଯୋଗର ଫାଇଦା ନେଇ ପାରି ନ ଥିଲେ। ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁୁ କମିସନଙ୍କୁ ଅନୁରୋଧ କରିବାରୁ କମିସନ ୨୦୧୯, ଜାନୁଆରି ୩୧ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଥିଲେ। କ୍ଷତିଗ୍ରସ୍ତ ଜମାକାରୀ ରେଜିଷ୍ଟ୍ରି, ଷ୍ପିଡ୍‌ ପୋଷ୍ଟ ଓ କୋରିଅର ଜାରିଆରେ ନିଜ ନାଁ ଓ ଠିକଣା ସହିତ ଜମାଟଙ୍କା ସ˚ପର୍କିତ ତଥ୍ୟ ଓ କମ୍ପାନିର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିଥିଲେ। ପ୍ରାୟ ୭ ଲକ୍ଷ ସତ୍ୟପାଠ ଏହି ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ବୋଲି ଅନୁମାନ କରାଯାଉଛି। କମିସନଙ୍କ ନିକଟରେ ପହଞ୍ଚିଥିବା ଲଫାପା ଗୁଡ଼ିକରୁ ସତ୍ୟପାଠଗୁଡ଼ିକ ବାହାର କରାଯାଇଛି। ଏହି ସତ୍ୟପାଠଗୁଡ଼ିକ ଡିଜିଟାଇଜେସନ୍ ପରେ ଯାଞ୍ଚ କରାଯାଇ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବାର ଯୋଜନା ହୋଇଛି।

ସମ୍ବନ୍ଧିତ ଖବର