ଜଷ୍ଟିସ୍ ଏମ୍‌.ଏମ୍‌.ଦାସ କମିସନ୍‌ : ବଡ଼ ଜମାକାରୀଙ୍କ ତଦନ୍ତ ଆରମ୍ଭ

ଫାଇଲ୍‌ରେ ଡିଜିଟାଇଜେସନ୍ ପ୍ରସ୍ତାବ; ଯାଞ୍ଚ ‌ଅପେକ୍ଷାରେ ୭ ଲକ୍ଷ ନୂଆ ସତ୍ୟପାଠ

କଟକ : ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ବଡ଼ ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୧୩ରେ ଦାଖଲ ସତ୍ୟପାଠକୁ ଯାଞ୍ଚ କରି ବଡ଼ ଜମାକରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର କମିସନ୍ ଏହି ପ୍ରସଙ୍ଗରେ ଚିଟ୍‌ଫଣ୍ଡ କମ୍ପାନି ଗୁଡିକୁ ନୋଟିସ୍ ଜାରି କରିବେ ବୋଲି ସୂଚନା ମିଳିଛି। ସେପଟେ କମିସନ୍ ପୂର୍ବରୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ କରି ସରକାରଙ୍କୁ ସାତଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ବର୍ତ୍ତମାନ ବି କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ବଡ଼ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ଅଧିକ ଟଙ୍କା ହରାଇଥିବା କ୍ଷତିଗ୍ରସ୍ତଙ୍କ ମନରେ ଆଶା ସଞ୍ଚାର କରିଛି।

ଉଲ୍ଲେଖଯୋଗ୍ୟ, ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅକ୍ଟୋବର ୩୧ ତାରିଖ ସୁଦ୍ଧା ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ୮ଲକ୍ଷ ୧୭ ହଜାର ୨୫୩ଟି ସଠିକ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ ହୋଇଥିଲା। ଏହା ସହିତ ୭୯ହଜାର ତ୍ରୁଟିପୂର୍ଣ୍ଣ ସତ୍ୟପାଠ ମଧ୍ୟ ଏହି ସମୟ ମଧ୍ୟରେ ଦାଖଲ କରାଯାଇଥିଲା। ୨୦୧୩ରେ ଦାଖଲ ସତ୍ୟପାଠ ଗୁଡିକ ଯାଞ୍ଚ କରି କମିସନ୍ ସରକାରଙ୍କୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏପର୍ଯ୍ୟନ୍ତ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ଖୁବ୍‌ଶୀଘ୍ର ଆଉ ଏକ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ୨୦୧୯, ମେ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତକୁ ଆଧାର କରି କମିସନ୍ ଗତ ଜୁଲାଇ ୧୨ରେ ସପ୍ତମ ରିପୋର୍ଟ ପ୍ରଦାନ କରିଥିଲେ। ମିଳିଥିବା ତଥ୍ୟ ଅନୁସାରେ କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨ ହଜାର କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। କ୍ଷୁଦ୍ର ଜମାକରୀଙ୍କ ଚିହ୍ନଟ ପରେ ଆଉ ପ୍ରାୟ ୩ ଲକ୍ଷ ୭୫ ହଜାର ସତ୍ୟପାଠର ଯାଞ୍ଚ କରାଯାଇ କ୍ଷତିଗ୍ରସ୍ତ ବଡ଼ ଜମାକାରୀଙ୍କୁ ଚିହ୍ନଟ କରାଯିବ।

ଅନ୍ୟପକ୍ଷରେ ପ୍ରାୟ ୭ ଲକ୍ଷ ସତ୍ୟପାଠ କମିସନଙ୍କ ନିକଟରେ ପଡି ରହିଛି। ନିକଟ ଅତୀତରେ ଦାଖଲ ହୋଇଥିବା ପ୍ରାୟ ୭ ଲକ୍ଷ ସତ୍ୟପାଠ ଡିଜିଟାଇଜ୍ ହେବା ପରେ ଯାଞ୍ଚ କରାଯିବ। ଏହିସବୁ ସତ୍ୟପାଠ ଡିଜିଟାଇଜେସନ୍ ପ୍ରସ୍ତାବ ପ୍ରସଂଗରେ କମିସନ୍ ସରକାରଙ୍କୁ ପ୍ରାୟ ୭ ମାସ ତଳେ ଚିଠି ଲେଖିଥିଲେ। ଏପରି ପ୍ରସ୍ତାବ ସରକାରଙ୍କ ନିକଟରେ ଏବେ ବିଚାରାଧୀନ ରହିଛି। ସରକାରଙ୍କ ଅନୁମୋଦନ ମିଳିବା ପରେ ଏହି ସତ୍ୟପାଠ ଗୁଡିକୁ ଡିଜିଟାଇଜେସନ୍ କରାଯିବ ଓ ଏହାପରେ ଯାଞ୍ଚ ପ୍ରକ୍ରିୟାରେ ଅଗ୍ରଗତି ହେବ। ସରକାରଙ୍କ ଅନୁମତି ମିଳିବାରେ ବିଳମ୍ବ ଯୋଗୁ ଲକ୍ଷାଧିକ ସତ୍ୟପାଠ ଯାଞ୍ଚ ପ୍ରସଂଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର