ବୃହତ୍‌ ଜମାକରୀଙ୍କ ସଂପର୍କରେ ଚିଟ୍‌ଫଣ୍ଡ କମିସନଙ୍କ ତଦନ୍ତ : ଅର୍ଥତତ୍ତ୍ବ, ଆସ୍ଥା ଇଣ୍ଟରନ୍ୟାସ୍‌ନାଲ୍‌କୁ ନୋଟିସ୍

କଟକ : ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏବେ ବୃହତ୍‌ ଜମାକାରୀଙ୍କ ପାଳି ପଡ଼ିଛି। ଏକ ବଡ଼ ଘଟଣାକ୍ରମରେ ତଦନ୍ତ କମିସନ ବୃହତ୍‌ ଜମାକାରୀଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହିତ ୨ ଚିଟ୍‌ଫଣ୍ଡ ସଂସ୍ଥାକୁ ନୋଟିସ୍‌ ଜାରି କରିଛନ୍ତି। ଦୁଇ ଚିଟ୍‌ଫଣ୍ଡ ସଂସ୍ଥା ହେଲା, ଅର୍ଥତତ୍ତ୍ବ ଓ ଆସ୍ଥା ଇଣ୍ଟର୍‌ନ୍ୟାସ୍‌ନାଲ୍‌।

ଅର୍ଥତତ୍ତ୍ବ ଗ୍ରୁପର ୩୬ ହଜାର ୪୪୭ ଜଣ ବୃହତ ଜମାକାରୀଙ୍କ ପ୍ରସଂଗରେ ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍ ନୋଟିସ୍ ଜାରି କରିଛନ୍ତି। ଭୁବନେଶ୍ବର ସ୍ପେସାଲ ଜେଲରେ ଥିବା ଅର୍ଥତତ୍ତ୍ବ ଗ୍ରୁପ୍ ଅଫ୍ କମ୍ପାନିଜର ମୁଖ୍ୟ ପ୍ରଦୀପ କୁମାର ସେଠୀଙ୍କୁ କମିସନ୍ ନୋଟିସ୍ ଜାରି କରି ବିଭିନ୍ନ ଯୋଜନାରେ ଅର୍ଥତତ୍ତ୍ବରେ ନିବେଶ କରିଥିବା ଟଙ୍କା ଏହି ଜମାକାରୀଙ୍କୁ କାହିଁକି ଫେରସ୍ତ କରାନଯିବ ସେ ନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯, ଡିସେମ୍ବର ୧୬ରେ ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ ନିଜେ କିମ୍ବା ପ୍ରତିନିଧିଙ୍କ ଜରିଆରେ କମିସନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ପ୍ରଦୀପଙ୍କୁ ନୋଟିସ୍ ଜାରି କରାଯାଇଛି। କ୍ଷତିଗସ୍ତ ଜମାକରୀଙ୍କ ତଥ୍ୟ କମିସନଙ୍କ ୱେବ୍‌ସାଇଟରେ ଉପଲବ୍ଧ ରହିଛି ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଅର୍ଥତତ୍ତ୍ବ କନ୍‌ସଲ୍‌ଟାନ୍ସି, ଅର୍ଥତତ୍ତ୍ବ ଫୁଡ୍‌ମାର୍ଟ, ଅର୍ଥତତ୍ତ୍ବ ଇନଫ୍ରା ଇଣ୍ଡିଆ, ଅର୍ଥତତ୍ତ୍ବ ମଲ୍ଟି ପରପୋଜ୍ କୋଅପରେଟିଭ୍ ସୋସାଇଟି, ଅର୍ଥତତ୍ତ୍ବ ମଲ୍ଟିଷ୍ଟେଟ୍ କୋଅପରେଟିଭ୍ ସୋସାଇଟି, ଅର୍ଥତତ୍ତ୍ବ ମଲ୍ଟିଷ୍ଟେଟ୍ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି, ଅର୍ଥତତ୍ତ୍ବ ୱାର୍ଲଡ୍ ଭେଂଚର୍ସ, ଅର୍ଥତତ୍ତ୍ବ କ୍ୟାପିଟାଲ ଓ ଅର୍ଥତର୍ତ୍ତ୍ବ ଗ୍ରୁପର ଅନ୍ୟ ସଂସ୍ଥାରେ ଜମାକାରୀମାନେ ନିବେଶ କରିଥିବା ଟଙ୍କା ସଂପର୍କରେ କମିସନ୍ ନୋଟିସ୍ ଜାରି କରିଥିବା ଜଣାଯାଇଛି। ୨୦୧୩, ଅଗଷ୍ଟ ୬ରୁ ୨୦୧୩, ଅକ୍ଟୋବର ୩୧ ମଧ୍ୟରେ କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ସତ୍ୟପାଠ ଯାଞ୍ଚ ପରେ ଅର୍ଥତତ୍ତ୍ବ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଏହି ୩୬ ହଜାର ୪୪୭ ଜଣ ବୃହତ (୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ନି‌ବେଶ କରିଥିବା ବ୍ୟକ୍ତି) ଜମାକାରୀଙ୍କ ତଥ୍ୟ ସମ୍ମୁଖକୁ ଆସିଥିଲା। ବୃହତ ଜମାକରୀଙ୍କ ପ୍ରସଂଗରେ କମିସନ୍ ଏହି ମାସ ପ୍ରାରମ୍ଭରେ ତଦନ୍ତ ଆରମ୍ଭ କରିଥିବା ବେଳେ ଏତେ ସଂଖ୍ୟକ ବୃହତ ଜମାକରୀଙ୍କ ପ୍ରସଂଗରେ କୌଣସି ଗୋଟିଏ ସଂସ୍ଥାକୁ ନୋଟିସ୍ ଜାରି କରାଯିବା ଏହା ପ୍ରଥମ ବୋଲି କୁହାଯାଉଛି।

ଏଥିସହିତ ୧୪ ହଜାର ୫୯୮ ଜଣ ବୃହତ ଜମାକରୀଙ୍କ ପ୍ରସଂଗରେ କମିସନ୍ ଆସ୍ଥା ଇଣ୍ଟରନ୍ୟାସନାଲ୍ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି। ଆସ୍ଥାର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କା, ସିଏମଡି ସନ୍ତୋଷ କିଶନ ସପ୍‌କଲେ ଓ ମ୍ୟାନେଜିଂ ଡିଇରେକ୍ଟର ସିଏସ୍‌ବି ଚୌହାନଙ୍କୁ କମିସନ୍ ନୋଟିସ୍ ଜାରି କରି ନିଜେ କିମ୍ବା ପ୍ରତିନିଧିଙ୍କ ମାଧ୍ୟମରେ ଡିସେମ୍ବର ୨୦ରେ ହାଜର ‌ହୋଇ ବୃହତ ଜମାକରୀଙ୍କ ଟଙ୍କା ଫେରସ୍ତ ପ୍ରସଂଗରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅସ୍ଥାର ଏହି ତିନି ପଦାଧିକାରୀ ଏବେ ଭୁବନେଶ୍ବର ସ୍ପେଶାଲ ଜେଲରେ ଥିବା ବେଳେ ସେମାନଙ୍କୁ ଜେଲ ଅଧୀକ୍ଷକଙ୍କ ଜରିଆରେ ନୋଟିସ୍ ପ୍ରଦାନ କରାଯିବ ବୋଲି ଜଣା ପଡିଛି। ଆସ୍ଥା ଗ୍ରୁପ ଅଫ୍ କମ୍ପାନିଜର ଆସ୍ଥା ଇଣ୍ଟରନ୍ୟାସନାଲ, ଆସ୍ଥା ଗୋଟ୍ ଫାର୍ମିଂ ଇଣ୍ଡିଆ, ବ୍ଲୁବାର୍ଡ ବେଭେରେଜେସ୍ ଆଣ୍ଡ ରେସର୍ଟସ୍ ସଂସ୍ଥା ଓ ଅନ୍ୟ ସଂସ୍ଥାରେ ଜମାକରୀମାନେ କୋଟି କୋଟି ଟଙ୍କା ନିବେଶ କରିଥିବା କମିସନଙ୍କ ଦ୍ବାରା ଜାରି ନୋଟିସରୁ ସ୍ପଷ୍ଟ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ କମିସନ୍ ବୃହତ ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଆରମ୍ଭ କରିଥିବା ବେଳେ ୬୦୨ ଅର୍ଥ ଲଗାଣକାରୀ ସଂସ୍ଥାର ପଦାଧିକାରୀଙ୍କ ଠିକଣା ମିଳୁ ନାହିଁ। ଏପରି କମ୍ପାନି ଗୁଡିକର ସଠିକ ଠିକଣା ପାଇବା ପାଇଁ କମିସନଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ କେତେକ ସଂସ୍ଥାର ପଦାଧିକାରୀ ଜେଲରେ ରହିଛନ୍ତି। ସେମାନଙ୍କୁ ଜେଲ୍‌ ଅଧୀକ୍ଷକଙ୍କ ଜରିଆରେ କମିସନ୍ ନୋଟିସ୍ ଜାରି କରିବେ ବୋଲି ସୂଚନା ମିଳିଛି।

୨୦୧୩ରେ ପ୍ରଥମ ପର୍ଯ୍ୟାୟରେ ଦାଖଲ ହୋଇଥିବା ସତ୍ୟପାଠ ଏବେ ଯାଞ୍ଚ କରାଯାଉଥିବାବେଳେ ଆଗକୁ ୨୦୧୮-୧୯ରେ ଦାଖଲ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟର ପ୍ରାୟ ୭ ଲକ୍ଷ ସତ୍ୟପାଠକୁ କମିସନ ବିଚାରକୁ ନେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର