କଟକ : ଚିଟ୍ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ନିକଟରେ ଦ୍ବିତୀୟ ପର୍ଯ୍ୟାୟରେ ଦାଖଲ ପ୍ରାୟ ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ୍ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)କୁ ସତ୍ୟପାଠଗୁଡ଼ିକ ଡିଜିଟାଇଜେସନ୍ ଦାୟିତ୍ବ ଦିଆଯାଇଥିଲା। ଏହି କାର୍ଯ୍ୟ ନେଇ ଓକାକ୍ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଏହି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥି ସହିତ ଓକାକ୍ର ବରିଷ୍ଠ ଅଧିକାରୀମାନେ କମିସନଙ୍କ କଟକ ବକ୍ସିବଜାର ପୁଲିସ ଲାଇନସ୍ଥିତ କାର୍ଯ୍ୟାଳୟକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡିଜିଟାଇଜେସନ୍ ଦାୟିତ୍ବ ପ୍ରଦାନ କରାଯାଇଥିବା ସଂସ୍ଥା ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବ ବୋଲି ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୮, ନଭେମ୍ବର ୧୩ରୁ ୨୦୧୯, ଜାନୁଆରି ୩୧ ମଧ୍ୟରେ ଦାଖଲ ପ୍ରାୟ ୭ ଲକ୍ଷ ସତ୍ୟପାଠର ଡିଜିଟାଇଜାଇସେନ୍ ସଂପର୍କିତ ପ୍ରସ୍ତାବକୁ ସରକାର ଗତ ବର୍ଷ ଅକ୍ଟୋବରରେ ଅନୁମତି ଦେଇଥିଲେ। ଏହାପରେ ଓକାକ୍କୁ ସତ୍ୟପାଠ ଗୁଡିକ ଡିଜିଟାଇଜେସନ୍ ଦାୟିତ୍ବ ଗୃହ ବିଭାଗ ଦେଇଥିଲା।
୨୦୧୩ରେ ଚିଟଫଣ୍ତ କମ୍ପାନି ଗୁଡିକ ଦ୍ବାରା ଠକେଇର ଶିକାର ହୋଇଥିବା ବହୁ ଜମାକରୀ ନିର୍ଦ୍ଧାରିତ ସମୟସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନଥିଲେ। ଏପରି ଜମାକରୀଙ୍କ ପାଇଁ କମିସନ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟସୀମା ଭିତରେ ୪ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିବା ବେଳେ ବହୁ ଜମାକାରୀ ବିଭିନ୍ନ କାରଣରୁ ଏହି ସୁଯୋଗର ଫାଇଦା ନେଇ ପାରି ନଥିଲେ। ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁ କମିସନଙ୍କୁ ଅନୁରୋଧ କରିଥିଲେ। ଏହା ପରେ ସତ୍ୟପାଠ ଦାଖଲର ସମୟସୀମା ୨୦୧୯, ଜାନୁଆରି ୩୧ ପର୍ଯ୍ୟନ୍ତ କମିସନ ବୃଦ୍ଧି କରିଥିବା ବେଳେ ଏହି ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ ହୋଇଥିଲା।
କମିସନ ପୂର୍ବରୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ କରି ସରକାରଙ୍କୁ ସାତଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ଏବେ ମଧ୍ୟ କ୍ଷୁଦ୍ର ଜମାକରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଖୁବ୍ ଶୀଘ୍ର କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଆଉ ଏକ ଅନ୍ତରୀଣ ରିପୋର୍ଟ କମିସନ୍ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କମିସନଙ୍କ ନିକଟରେ ପ୍ରଥମ ପର୍ଯ୍ୟାୟରେ ୨୦୧୩ରେ ଦାଖଲ ସତ୍ୟପାଠକୁ ଯାଞ୍ଚ କରି ବୃହତ ଜମାକରୀଙ୍କ ଚିହ୍ନଟ ପାଇଁ ପ୍ରକ୍ରିୟା ମଧ୍ୟ ଜାରି ରହିଛି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବ୍ରୁଆରି ୪ରେ ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି ପାଇଁ ଗୃହ ବିଭାଗରେ ପ୍ରସ୍ତାବ ବିଚାରାଧୀନ ରହିଛି।