କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ଆସନ୍ତା ଡିସେମ୍ବର ମାସରେ ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ଏହି ରିପୋର୍ଟ ପ୍ରଦାନ କରିବେ। କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏହା ହେବ କମିସନଙ୍କ ଚତୁର୍ଥ ରିପୋର୍ଟ। ଅନ୍ୟପକ୍ଷରେ ଚତୁର୍ଥ ପର୍ଯ୍ୟାୟର ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ତ୍ୱାରାନ୍ଵିତ କରାଯାଇଛି। କମିସନ୍‌ ଏବେ ସୁଦ୍ଧା ଦୁଇ ଶହରୁ ଅଧିକ ଚିଟଫଣ୍ଡ ସଂସ୍ଥାକୁ ନୋଟିସ୍‌ ଜାରି ସରିଥିବା ବେଳେ ୧୫ଟି ସଂସ୍ଥାକୁ ସାନି ନୋଟିସ୍‌ ଜାରି କରିଛନ୍ତି।

Advertisment

ଓ୍ଵଲଫେୟାର ବିଲ୍ଡିଂସ୍‌ ଆଣ୍ଡ୍‌ ଇଷ୍ଟେଟସ୍‌ ପ୍ରାଇଭେଟ ଲିମିଟେଡ, ଭିଜନ ଟେକ୍ନୋ ଟ୍ରେଡ୍‌ ଲିମିଟେଡ, ଭିଜନ ଇଣ୍ଡଷ୍ଟ୍ରିଜ ପାଇଭେଟ ଲିମିଟେଡ, ଓ୍ଵୟାରଡ୍‌ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌, ଭିବଗ୍ୟୋର ଆଲାଏଡ୍‌ ଇଣ୍ଡଷ୍ଟ୍ରିଜ, ବିପି ଆରଏସଆର୍‌ ଟ୍ରେଡ୍‌ ଲିଙ୍କ, ଭାରତୀ ବାୟୋ ପ୍ରଡ୍ୟୁସର କମ୍ପାନି, ବିଏ ଲାଇଫ ଇନସ୍ୟୁରାନ୍ସ, ଆଶୀର୍ବାଦ ଗୋଟ୍‌ ରିୟରିଂ, ଏଏଲଆର୍‌ ଗ୍ରୁପ, ଗୀତାଞ୍ଜଳି ଉଦ୍ୟୋଗ ଲିମିଟେଡ, ଡାଇନାମିକ୍‌ ହାବିଟାଟ ପ୍ରାଇଭେଟ୍‌ ଲିମିଟେଡ, ଧରିିତ୍ରୀ ଡେଭେଲପର୍ସ ଲିମିଟେଡ, କ୍ରିଏଟିଭ୍‌ ଫଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ, ବାସ୍ତବ ଏଏଲଆର୍‌ ଇଣ୍ଟରନ୍ୟାସନାଲ ଲିମିଟେଡକୁ କମିସନ୍‌ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରିଛନ୍ତି। ଏଥି ମଧ୍ୟରେ ରାଜ୍ୟ ବାହାର ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର କେତେକ ସଂସ୍ଥା ରହିଛି। ଏହି ସଂସ୍ଥା ଗୁଡିକ ସଂପର୍କିତ ମାମଲା ଗୁଡିକର ଶୁଣାଣି ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ମିମି ଏଣ୍ଟରପ୍ରାଇଜର୍ସ ଲିମିଟେଡର ୫୦୬ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍‌ ଚିହ୍ନଟ କରିଛନ୍ତି। ପୂର୍ବରୁ ଫ୍ଲୋରିସ୍‌ ଡେଭଲପମେଣ୍ଟ ଇଣ୍ଡିଆ ଲିମିଟେଡର ୧୦ ହଜାର ୩୭ ଜଣ ଓ ଆସ୍ଥା ଇଣ୍ଟରନ୍ୟାସନାଲ ସଂସ୍ଥାର ୧୬୬୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍‌ ଚିହ୍ନଟ କରିଥିଲେ। ଏଥି ସହିତ ଆଉ କେତେକ ସଂସ୍ଥାର କ୍ଷୁଦ୍ର ଜମାକରୀଙ୍କୁ ମଧ୍ୟ ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି। ଅଧିକାଂଶ ସଂସ୍ଥାର ପଦାଧିକାରୀ କମିସନଙ୍କ ନୋଟିସ୍‌ ପାଇବା ପରେ ମଧ୍ୟ ତଦନ୍ତ ମାମଲାର ଶୁଣାଣି ସମୟରେ ହାଜର ହେଉ ନାହାନ୍ତି। ଏପରି ପରିସ୍ଥିତିରେ କମିସନ ସେମାନଙ୍କୁ ଏକାଧିକ ଥର ସୁଯୋଗ ଦେଉଛନ୍ତି। ଅବଶେଷରେ କମ୍ପାନି କର୍ତ୍ତୃପକ୍ଷ ବା ପ୍ରତିନିଧିଙ୍କ ଅନୁପସ୍ଥିତିରେ ଜମାକାରୀଙ୍କ ସତ୍ୟପାଠ ଆଧାରରେ କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରୁଛନ୍ତି।

ସୂଚନା ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅଗଷ୍ଟ ୨୧ ମଧ୍ୟରେ ଦାଖଲ କରାଯାଇଥିବା ସତ୍ୟପାଠ ମଧ୍ୟରୁ ୨୬୯୭୬ଟି ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍‌ କରି କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରାଯାଉଛି।