ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ : ଦାଖଲ ହେବ ପଞ୍ଚମ ଅନ୍ତରୀଣ ରିପୋର୍ଟ

କଟକ : ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ ଦୁଇ ସପ୍ତାହ ଭିତରେ ସରକାରଙ୍କୁ ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ସରକାରଙ୍କୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବେ ବୋଲି ଜଣା ପଡିଛି। କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏହା ହେବ କମିସନଙ୍କ ପଞ୍ଚମ ରିପୋର୍ଟ। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟାପଠ ଯାଞ୍ଚ କରି କମିସନ୍‌ ୪୮୬ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ ନୋଟିସ୍‌ ଜାରି କରିଥିଲେ। ପ୍ରଥମେ ୨୦୧୮, ଫେବ୍ରୁଆରି ୧ରେ କମିସନ୍‌ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଓ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ନୋଟିସ୍‌ ଜାରି କରିଥିଲେ। ଏହା ପରେ ରାଜ୍ୟ ଭିତର ଓ ବାହାରର ଶତାଧିକ ସଂସ୍ଥାକୁ କମିସନ୍‌ ନୋଟିସ୍‌ ଜାରି କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନୋଟିସ୍‌ ସତ୍ୱେ ଅଧିକାଂଶ ସଂସ୍ଥାର ପଦାଧିକାରୀ କମିସନଙ୍କ ନିକଟରେ ହାଜର ହେଉ ନାହାନ୍ତି। ଏପରି ପରିସ୍ଥିତିରେ କମିସନ୍‌ ଜମାକାରୀଙ୍କ ସତ୍ୟପାଠ ଆଧାରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରୁଛନ୍ତି। ଏହି ପର୍ଯ୍ୟାୟରେ ସିସୋରର ୭ ହଜାର ୭୩୪, ଅର୍ଥତତ୍ତ୍ୱର ୨ ହଜାର ୩୬୫, ଆସ୍ଥା ଇଣ୍ଟରନ୍ୟାସନାଲର ୨ ହଜାର ୯୬୫, ଆଇ କୋର୍‌ ସର୍ଭିସେସ୍‌ ଲିମିଟେଡର ୧ ହଜାର ୭୫, ନବଜ୍ୟୋତି ରିୟଲିଟି ଇଣ୍ଡିଆ ଲିମିଟେଡର ୬ ହଜାର ୧୫୮ ଜଣ କ୍ଷୁଦ୍ର ଜମାକାରୀଙ୍କ ସମେତ ପ୍ରାୟ ୫୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ କମିସନ୍‌ ଚିହ୍ନଟ କରି ସାରିଲେଣି। ପଞ୍ଚମ ପର୍ଯ୍ୟାୟରେ ୧୫୬ଟି ଅର୍ଥ ଲଗାଣକାରୀ ସଂସ୍ଥାର ପଦାଧିକାରୀଙ୍କ ସଠିକ୍‌ ଠିକଣା ମିଳି ନଥିଲା। ଏହି ସବୁ ସଂସ୍ଥାର ଠିକଣା ପ୍ରଦାନ ପାଇଁ କମିସନ୍‌ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ଚିଠି ଲେଖି ଥିଲେ। ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍‌ ଶୀଘ୍ର ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ଆରମ୍ଭ ହେବ ବୋଲି ମଧ୍ୟ ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ ଚିଟ୍‌ଫଣ୍ଡ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସଂଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଥିଲା। କ୍ଷତି ପୂରଣ ପାଇଁ ଯୋଗ୍ୟ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ଓ କ୍ଷତିପୂରଣ ପ୍ରକ୍ରିୟା ଉପରେ କମିସନ୍‌ ତଦନ୍ତ କରି ପରାମର୍ଶ ପ୍ରଦାନ କରିବେ ବୋଲି ଫେବ୍ରୁଆରି ୨୦ର ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଏହା ପରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅଗଷ୍ଟ ୨୧ ମଧ୍ୟରେ ଦାଖଲ କରାଯାଇଥିବା ସତ୍ୟପାଠ ମଧ୍ୟରୁ ୨୬୯୭୬ଟି ଯାଞ୍ଚ କରି କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍‌ କରି କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ୩ଟି ରିପୋର୍ଟରେ ୬୦ ହଜାର ୯୪୧ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ନୋଟିସ୍‌ ଜାରି କରିଥିଲେ। କମିସନଙ୍କ ୨୦୧୮, ଜାନୁଆରି ୧୮ର ଚତୁର୍ଥ ଅନ୍ତରୀଣ ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସଂସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ବିଭିନ୍ନ ଚିଟ୍‌ଫଣ୍ଡ୍‌ ସଂସ୍ଥାରେ ଟଙ୍କା ନିବେଶ କରିଥିବା କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସଂଗରେ ରିପୋର୍ଟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା। ସରକାର ଗଠନ କରିଥିବା କର୍ପସ ଫଣ୍ଡରୁ ଚିହ୍ନଟ କରାଯାଇଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କିପରି ଟଙ୍କା ପାଇବେ ସେ ସଂପର୍କରେ ସ୍ୱତନ୍ତ୍ର ଭାବେ ପରାମର୍ଶ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର