ଜଷ୍ଟିସ ଏମ୍.ଏମ୍.ଦାସ କମିସନ : ଆଦର୍ଶ ଗ୍ରୁପ୍‌କୁ ୪୭୦୦ ବୃହତ୍‌ ଜମାକାରୀ ପ୍ରସଂଗରେ ନୋଟିସ୍

କଟକ : ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍ ୪ ହଜାର ୭୧୦ ଜଣ ବୃହତ ଜମାକାରୀଙ୍କ ପ୍ରସଂଗରେ ଆଦର୍ଶ ଗ୍ରୁପ୍ ଅଫ୍ କମ୍ପାନିଜକୁ ନୋଟିସ୍ ଜାରି କରିଛନ୍ତି। ୨୦୧୩ ଅଗଷ୍ଟ ୬ରୁ ୨୦୧୩ ଅକ୍ଟୋବର ୩୧ ମଧ୍ୟରେ କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ସତ୍ୟପାଠ ଯାଞ୍ଚ ପରେ ଏହି ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ୪ ହଜାର ୭୧୦ ଜଣ ଜମାକାରୀଙ୍କ ତଥ୍ୟ ସମ୍ମୁଖକୁ ଆସିଥିଲା। ବିଭିନ୍ନ ଯୋଜନାରେ ଆଦର୍ଶ ଗ୍ରୁପ ଅଫ୍ କମ୍ପାନିଜରେ ନିବେଶ କରିଥିବା ଟଙ୍କା ଏହି ଜମାକାରୀଙ୍କୁ କାହିଁକି ଫେରସ୍ତ କରା ନ ଯିବ ସେ ନେଇ ଜବାବ ରଖିବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୯ରେ ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ ଜବାବ ରଖିବାକୁ ଆଦର୍ଶ ଗ୍ରୁପ ଅଫ୍ କମ୍ପାନିଜର ଏମଡି ବି.କେ.ରାଉତଙ୍କୁ କମିସନ୍ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ଏଏମ୍ ଫିନଭେଷ୍ଟ ସଲ୍ୟୁସନ୍ ଲିମିଟେଡକୁ ୯୭୨ ବୃହତ ଜମାକାରୀଙ୍କ ପ୍ରସଂଗରେ ନୋଟିସ୍ ଜାରି କରାଯାଇଛି। ଏବେ ସୁଦ୍ଧା କମିସନ୍ ପ୍ରାୟ ୨୮ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ ବୃହତ ଜମାକାରୀଙ୍କ ପ୍ରସଂଗରେ ନୋଟିସ୍ ଜାରି କରି ସାରିଥିବାବେଳେ ଆଗକୁ ଅର୍ଥତତ୍ତ୍ବ, ସିସୋର, ରୋଜଭ୍ୟାଲି ଭଳି ସଂସ୍ଥାକୁ ନୋଟିସ୍ ଜ‌ାରି କରାଯିବ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ୨୦୧୩ରେ ଦାଖଲ ସତ୍ୟପାଠଗୁଡିକୁ ଯାଞ୍ଚ କରାଯାଇ ବୃହତ ଜମାକାରୀ (୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ନି‌ବେଶ କରିଥିବା ବ୍ୟକ୍ତି)ଙ୍କୁ ଚିହ୍ନଟ ପାଇଁ କମିସନ କିଛି ଦିନ ତଳେ ପ୍ରକ୍ରିୟା ଆରମ୍ଭ କରିଥିଲେ। ୬୦୨ଟି ଅର୍ଥ ଲଗାଣକାରୀ ସଂସ୍ଥାର ପଦାଧିକାରୀଙ୍କ ଠିକଣା ମିଳୁ ନଥିବା ବେଳେ ଏପରି କମ୍ପାନିଗୁଡିକର ଠିକଣା ପାଇବା ପାଇଁ କମିସନଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର