କଟକ : ଚିଟ୍ଫଣ୍ଡ୍ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିସନ୍ ଆଜି ସରକାରଙ୍କୁ ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ଦ୍ ଲଫାପାରେ ଏହି ଅନ୍ତରୀଣ ରିପୋର୍ଟ କମିସନଙ୍କ ସଚିବ ଦେବରାଜ ରାଉତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ସଚିବ ଅସିତ ତ୍ରିପାଠୀଙ୍କୁ ରାଜ୍ୟ ସଚିବାଳୟରେ ପ୍ରଦାନ କରିଛନ୍ତି।
ରିପୋର୍ଟରେ ୨୯୦ଟି ଅର୍ଥ ଲଗାଣକାରୀ ସଂସ୍ଥାର ୧ ଲକ୍ଷ ୧ ହଜାର ୮୫୦ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଛି। ଏଥିରେ ସିସୋର ଗ୍ରୁପର ୭ ହଜାର ୭୩୪ ଜଣ, ଅର୍ଥତତ୍ତ୍ୱ ଗ୍ରୁପର ୨ ହଜାର ୩୬୫ ଜଣ, ଆସ୍ଥା ଇଣ୍ଟରନ୍ୟାସନାଲର ୨ ହଜାର ୯୬୫ ଜଣ, ନବଜ୍ୟୋତି ରିୟଲିଟି ଇଣ୍ଡିଆ ଲିମିଟେଡ୍ର ୬ ହଜାର ୧୫୮ଜଣ, ସେଡିଲ ଡେଭେଲପମେଣ୍ଟ ଇଣ୍ଡିଆର ୨ ହଜାର ୪୩୪ ଜଣ, ପ୍ରୟାଗ ଆକ୍ନୋଲେଜ୍ମେଣ୍ଟ ସଂସ୍ଥାର ୨ ହଜାର ୩୫୧ ଜଣ, ସେଲ୍ଟର ଆଗ୍ରୋଟେକ୍ ଲିମିଟେଡର ୧ ହଜାର ୨୨୯ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ୧୨ ହଜାର ୫୩୦ ପୃଷ୍ଠାର ଏହି ପଞ୍ଚମ ଅନ୍ତରୀଣ ରିପୋର୍ଟରେ କ୍ଷୁଦ୍ର ଜମାକାରୀଙ୍କ ଉପରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଓ ଅନୁମୋଦନ ରହିଥିବା ସୂଚନା ମିଳିଛି। ବିଭିନ୍ନ ଚିଟ୍ଫଣ୍ଡ୍ ସଂସ୍ଥାରେ ଟଙ୍କା ନିବେଶ କରିଥିବା କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସଂଗରେ ରିପୋର୍ଟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ସରକାର ଗଠନ କରିଥିବା କର୍ପସ ପାଣ୍ଠିରୁ ଚିହ୍ନଟ କରାଯାଇଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କିପରି ଟଙ୍କା ପାଇବେ ସେ ସଂପର୍କରେ ସ୍ୱତନ୍ତ୍ର ଭାବେ ପରାମର୍ଶ ପ୍ରଦାନ କରାଯାଇଛି। ପଞ୍ଚମ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟା ଭିତରେ ୧୭୪ ଜଣ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରିପାଇଥିବା ଜଣା ପଡିଛି। ଏ ପର୍ଯ୍ୟନ୍ତ କମିସନ୍ ୨ ଲକ୍ଷ ୧୬ ହଜାର ୫୦୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିବା ବେଳେ ୪୮୬ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ ବିଭିନ୍ନ ପର୍ଯ୍ୟାୟରେ ନୋଟିସ୍ ଜାରି କରିଛନ୍ତି।
ଆଜି ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ ପରେ ଜଷ୍ଟିସ ମଦନ ମୋହନ ଦାସ କହିଛନ୍ତି ଯେ ଚିହ୍ନଟ କରାଯାଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ପରାମର୍ଶ ଦିଆଯାଇଛି। ସରକାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ଆରମ୍ଭ କରି ସାରିଛନ୍ତି। କର୍ପସ ପାଣ୍ଠିରୁ ଟଙ୍କା ଦିଆଯାଉଛି। ଯେଉଁ କମ୍ପାନି ଗୁଡିକର ଜମି ଓ ଟଙ୍କା ଜବତ ହୋଇଛି ସେ ଗୁଡିକ ବିକ୍ରି କରି ସେଥିରୁ ମିଳୁଥିବା ଟଙ୍କାକୁ ସଂପୃକ୍ତ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ କରାଯାଉଛି। ଷଷ୍ଠ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଗୁଡିକ ମଧ୍ୟ ବିଚାରକୁ ନିଆଯିବ। ଆଉ କିଛି ସତ୍ୟପାଠ ମଧ୍ୟ କମିସନଙ୍କ ନିକଟରେ ପହଞ୍ଚିଛି। ସେଗୁଡିକ ମଧ୍ୟ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯିବ। ଅନ୍ୟପଟେ ମୋଟ ୧୪୮୫ ଜଣ କ୍ଷୁଦ୍ର ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି। ତଦନ୍ତ ପ୍ରକ୍ରିୟା ଭିତରେ କମ୍ପାନି ଗୁଡିକୁ କମିସନ କହିବା ପରେ ଏହି କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିଲା ବୋଲି ଜଷ୍ଟିସ ଦାସ ସୂଚନା ଦେଇଛନ୍ତି। କମ୍ପାନି ଗୁଡିକୁ ଜାରି କରାଯାଉଥିବା ନୋଟିସ୍ ଫେରି ଆସୁଛି। ଫଳରେ ଖବର କାଗଜରେ ପ୍ରକାଶନ ମାଧ୍ୟମରେ ନୋଟିସ୍ ଜାରି କରାଯାଉଛି। ଆଉ ପ୍ରାୟ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ଶେଷ ହେବ ବୋଲି ଜଷ୍ଟିସ ଦାସ କହିଛନ୍ତି। ଅତିରିକ୍ତ ରେଫରେନ୍ସ ଆଧାରରେ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗକୁ ପ୍ରଥମେ ଗୁରୁତ୍ୱ ଦିଆଯାଇଥିଲା। ଏହା ପରେ ଅନ୍ୟ ରେଫରେନ୍ସ ଗୁଡିକ ବିଚାରାକୁ ନିଆଯାଇ ସରକାରଙ୍କୁ ଅନୁମୋଦନ /ପରାମର୍ଶ ପ୍ରଦାନ କରାଯିବ ବୋଲି ଜଷ୍ଟିସ ଦାସ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଚମ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୭ରୁ ୨୦୧୩, ସେପ୍ଟେମ୍ବର ୨୭ ମଧ୍ୟରେ ଦାଖଲ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍ ନୋଟିସ୍ ଜାରି କରିଥିଲେ। ନୋଟିସ୍ ଜାରି କରାଯାଇଥିବା ସଂସ୍ଥା ମଧ୍ୟରୁ ଅଧିକାଂଶ ହାଜର ହୋଇ ନଥିଲେ। କିଛି ସଂସ୍ଥା ପାଖକୁ ନୋଟିସ ଯାଇ ଫେରି ଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଯେଉଁ ଠିକଣା ଦେଇଥିଲେ ସେଠାରେ ସେହି ସଂସ୍ଥାର ଅଫିସ ନଥିବା ଡାକ ବିଭାଗ ସୂଚନା ଦେଇଥିଲା। ଏପରି ପରିସ୍ଥିତିରେ ଖବର କାଗଜ ଜରିଆରେ ନୋଟିସ୍ ଜାରି କରାଯାଇଥିଲା। ୨୦୧୮, ଜାନୁଆରି ୧ରୁ ମେ ୩୧ ସୁଦ୍ଧା କମିସନ୍ ଚିହ୍ନଟ କରିଥିବା କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପଞ୍ଚମ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ ସତ୍ୟପାଠ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଏଥି ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରାଯାଇଥିବା ପ୍ରାୟ ୮୦ ହଜାର ତ୍ରୁଟିପୂର୍ଣ୍ଣ ସତ୍ୟପାଠକୁ ମଧ୍ୟ କମିସନ ଏହା ପରେ ବିଚାରକୁ ନେବେ ବୋଲି ମଧ୍ୟ ସୂଚନା ମିଳିଛି।
ଚିଟ୍ ଫଣ୍ଡ୍ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍ ଗଠନ କରାଯାଇଥିଲା। କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ, ୨୦୧୭, ଜୁଲାଇ ୨୫ରେ ତୃତୀୟ ଏବଂ ୨୦୧୮, ଜାନୁଆରି ୧୮ର ଚତୁର୍ଥ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ।