କଟକ: ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ର (୮୯)ଙ୍କ ପରଲୋକ ଘଟିଛି। ସିଡିଏ ସେକ୍ଟର-୬ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଶେଷଶଯ୍ୟା ନିକଟରେ ପୁତ୍ର ବିଶିଷ୍ଟ ଆଇନଜୀବୀ ଅରୁଣ କୁମାର ମିଶ୍ର, ଜ୍ବାଇଁ ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ହାଇକୋର୍ଟର ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଆଇନଜୀବୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

Advertisment

୧୯୩୨, ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ମିଶ୍ର ୧୯୫୫ରୁ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେ ୧୯୭୫ରେ ଓଡ଼ିଶା ବୋର୍ଡ ଅଫ୍ ୱାକଫ୍‌ର ଷ୍ଟାଣ୍ଡିଂ କାଉନସିଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୭୮ ମେ ୧୫ରୁ ୨୪ ସେପ୍ଟେମ୍ବର ୧୯୮୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ ଷ୍ଟାଣ୍ଡିଂ କାଉନସିଲ ଭାବେ କାର୍ଯ୍ୟ କରିଥିଲେ। ୧୯୭୭ ଅଗଷ୍ଟ ୮ରୁ ସେ ଏଲ୍‌ଆଇସିର ଆଇନ ପରାମର୍ଶଦାତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୭୯ ଜାନୁଆରିରେ ତାଙ୍କୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆର ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ମିଳିଥିଲା। ସାମ୍ବିଧାନିକ ଓ ଦେୱାନୀ ଆଇନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଯୋଗୁଁ ସେ ରାଜ୍ୟରେ ଜଣେ ସୁନାମଧନ୍ୟ ଆଇନଜୀବୀ ଭାବେ ପରିଚୟ ସୃଷ୍ଟି କରିଥିଲେ। ୧୯୮୩ ଜୁନ୍ ୧ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୧୯୯୪, ଡିସେମ୍ବର ୨୩ରେ ସେ ବିଚାରପତି ପଦରୁ ଅବସର ନେଇଥିଲେ। ହାଇକୋର୍ଟର ବିଚାରପତି ଭାବେ ସେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ‌ରାୟ ପ୍ରକାଶ କରିଥିଲେ।