ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନ : ପୂର୍ବତନ ପ୍ରଶାସକ ଓ ସହକାରୀ ପ୍ରଶାସକଙ୍କୁ ନୋଟିସ୍‌, ୨୯ରେ ସାକ୍ଷ୍ୟ ଗ୍ରହଣ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସାକ୍ଷ୍ୟ ପ୍ରଦାନ ପାଇଁ ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନ୍‌ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପୂର୍ବତନ ପ୍ରଶାସକ ଓ ପୂର୍ବତନ ସହକାରୀ ପ୍ରଶାସକଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆଜି ସର୍କିଟ ହାଉସଠାରେ କମିସନଙ୍କ ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ନିର୍ଦ୍ଦେଶ ଅନୁସାରେ ସାକ୍ଷ୍ୟ ଗ୍ରହଣ ପ୍ରସଂଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ପକ୍ଷ ରଖାଯାଇଥିଲା। ନୀତି ପ୍ରଶାସକଙ୍କ ତରଫରୁ ଏକ ଆବେଦନ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପୂର୍ବତନ ପ୍ରଶାସକ କାଳୀ କୁମାର ରଥ ଓ ପୂର୍ବତନ ସହକାରୀ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ ସାକ୍ଷ୍ୟ ପ୍ରଦାନ ପାଇଁ ନୋଟିସ୍‌ ଜାରି କରାଯାଉ। କମିସନ୍‌ ଏହି ଆବେଦନର ଶୁଣାଣି କରି ଶ୍ରୀ ରଥ ଓ ଶ୍ରୀ ମିଶ୍ରଙ୍କୁ ସେପ୍ଟେମ୍ବର ୨୯ରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ ପାଇଁ ନୋଟିସ୍‌ ଜାରି ଲାଗି ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। କମିସନଙ୍କ ନିର୍ଦ୍ଦେଶ ପରେ ଆଜି ଶ୍ରୀ ରଥ ଓ ଶ୍ରୀ ମିଶ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆଜି କମିସନଙ୍କ ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନ ପରାମର୍ଶଦାତା ଦାମୋଦର ପଣ୍ଡା ଉପସ୍ଥିତ ରହି ନୀତି ପ୍ରଶାସକଙ୍କ ଆବେଦନ ଦାଖଲ କରିଥିଲେ। ସେପ୍ଟେମ୍ବର ୨୯ର ଶୁଣାଣି ପରେ ଅନ୍ୟ କାହାକୁ ସାକ୍ଷ୍ୟ ଗ୍ରହଣ ପାଇଁ ନୋଟିସ୍‌ ଜାରି କରାଯିବ ସେ ନେଇ କମିସନ୍‌ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

ଏଠାରେ ସୂଚନା ଯୋଗ୍ୟ ଯେ କମିସନଙ୍କ ନିକଟରେ ରାଜ୍ୟ ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ପୁରୀ ଟ୍ରେଜେରି ଅଫିସର, ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ବର୍ତ୍ତମାନର ଜିଲ୍ଲାପାଳ ଜେ.ପି.ଦାସ, ପୁରୀର ସମାଜସେବୀ ରାଜକୁମାର ମହାନ୍ତି ଓ ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରମୁଖ ୧୦ଟି ସତ୍ୟପାଠ ଦାଖଲ କରିଥିଲେ। ସରକାରୀ ଅଧିକାରୀ ଦେଇଥିବା ସତ୍ୟପାଠ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ମଧ୍ୟ କମିସନଙ୍କ ନିକଟରେ ଦାଖଲ ହୋଇଥିଲା। ସତ୍ୟପାଠ ଗୁଡିକ ଯାଞ୍ଚ ପରେ ତଦନ୍ତ ପ୍ରକ୍ରିୟା ମଧ୍ୟରେ ସାକ୍ଷ୍ୟ ପ୍ରଦାନ ପ୍ରସଂଗରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ କମିସନ୍‌ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ୩ ମାସ ଭିତରେ କମିସନ୍‌ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ସେପ୍ଟେମ୍ବର ୭ରେ ତିନି ମାସ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ସରକାର କମିସନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର