ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନ : ଆଇନ ସଚିବଙ୍କ ସମେତ ୫ଜଣଙ୍କ ସତ୍ୟପାଠ ଦାଖଲ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନ୍‌ଙ୍କ ନିକଟରେ ଆଇନ ସଚିବ, ପୁରୀ ଟ୍ରେଜେରି ଅଫିସର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପ୍ରମୁଖ ଆଜି ସତ୍ୟପାଠ ଦାଖଲ କରିଛନ୍ତି। ଏଥି ସହିତ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପି.କେ.ମହାପାତ୍ର ଓ ବର୍ତ୍ତମାନର ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ କମିସନଙ୍କ ନିକଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ପୂର୍ବରୁ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ପୁରୀ ଜିଲ୍ଲାପାଳ ସାନି ସତ୍ୟପାଠ ଦାଖଲ କରିଛନ୍ତି। ପୁରୀ ଟ୍ରେଜେରି ଅଫିସର ଦାଖଲ କରିଥିବା ସତ୍ୟପାଠରେ ରତ୍ନ ଭଣ୍ଡାର ଚାବି ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଟ୍ରେଜେରି ସଂପର୍କିତ କେତେକ ନିୟମ ପ୍ରସଂଗରେ ଉଲ୍ଲେଖ କରାଯାଇଛି ବୋଲି ସୂଚନା ମିଳିଛି। ପୂର୍ବରୁ ରତ୍ନ ଭଣ୍ଡାର ଚାବି ଟ୍ରେଜେରିରେ ନଥିବା ବେଳେ କିଛି ଦିନ ତଳେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଚାବି ନେଇ ଟ୍ରେଜେରିରେ ଜିମା ଦେଇଥିଲେ ବୋଲି ସେ ସତ୍ୟପାଠରେ ଉଲ୍ଲେଖ କରିଥିବା ବିଶ୍ୱସ୍ତସୂତ୍ରରୁ ପ୍ରକାଶ। ସେହିଭଳି ଆଇନ ସଚିବ ଶଶିକାନ୍ତ ମିଶ୍ର ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ପି.କେ.ଦାସ କମିସନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଜଣାଯାଇଛି। କମିସନଙ୍କ ପରବର୍ତ୍ତୀ ବୈଠକ ଆସନ୍ତା ୧ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଆଜି କମିସନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କଟକ ସର୍କିଟହାଉସଠାରେ ଅନୁଷ୍ଠିତ ହୋଇଥିଲା। କମିସନ୍‌ ଅଧ୍ୟକ୍ଷ ଜଷ୍ଟିସ ରଘୁବୀର ଦାଶ, ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ଓକିଲ ଅଯୋଧ୍ୟା ରଂଜନ ଦାଶଙ୍କ ସହିତ ଆଲୋଚନା କରିଥିଲେ। ପୁରୀ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ କମିସନଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ପୁରୀର ସମାଜସେବୀ ରାଜକୁମାର ମହାନ୍ତି, ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସମେତ ୭ ଜଣ ପୂର୍ବରୁ ସତ୍ୟପାଠ ଦାଖଲ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ କମିସନଙ୍କ ନିକଟରେ ସତ୍ୟପାଠ ସହିତ କେତେକ ନଥିପତ୍ରର ନକଲ ମଧ୍ୟ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର