ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ। ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଜଷ୍ଟିସ ସଂଜୟ କୁମାର ମିଶ୍ର, ଜଷ୍ଟିସ ସି.ଆର. ଦାଶଙ୍କ ସମେତ ସମସ୍ତ ବିଚାରପତି, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି.କେ.ପଟେଲ, ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀ, ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଆଇନ ବିଭାଗ ସଚିବ ଶଶିକାନ୍ତ ମିଶ୍ର, ସ୍ବତନ୍ତ୍ର ଡିଜି-ଗୁଇନ୍ଦା ସତ୍ୟଜିତ ମହାନ୍ତି, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଏନଏଲୟୁ କୁଳପତି ଶ୍ରୀକୃଷ୍ଣ ଦେବାରାଓ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ଅଖିଳେଶ୍ବର ସିଂହ, ହାଇକୋର୍ଟ ରେଜିଷ୍ଟ୍ରିର ବରିଷ୍ଠ ଅଧିକାରୀ ଓ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୨୭ ଥିବା ବେଳେ ବିଚାରପତି ଭାବେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଶପଥ ଗ୍ରହଣ ପରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ର˚ଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ. ବୋବ୍‌ଡେ ଓ ଜଷ୍ଟିସ ଏନ୍‌.ଭି. ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାଁ ବିଚାରପତି ପଦ ପାଇଁ ୨୦୧୯ ଅକ୍ଟୋବର ୩ରେ ସୁପାରିଶ କରିଥିଲେ। ୨୦୧୯ ମେ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ଅକ୍ଟୋବର ୩ରେ ସୁପ୍ରିମକୋର୍ଟ କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାଁ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିଶ କରିଥିଲା। ଏହାପରେ ୨୦୨୦ ଫେବ୍ରୁଆରି ୭ରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର