କଟକ : ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ପୁରୁଣା କୋଠାରେ ରହିଥିବା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଜଷ୍ଟିସ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇଥିଲେ। ତେବେ ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବି ସଂଖ୍ୟା ୨୭ ରହିଥିବା ବେଳେ ଏବେ ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି।
ଏହି ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ଅଧିକାରୀଙ୍କ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ଆଇନ ବିଭାଗ ସଚିବ ଶଶୀକାନ୍ତ ମିଶ୍ର, ସ୍ବତନ୍ତ୍ର ଡିଜି (ଗୁଇନ୍ଦା) ସତ୍ୟଜିତ ମହାନ୍ତି, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏନଏଲୟୁ କୁଳପତି ଶ୍ରୀକୃଷ୍ଣ ଦେଵାରାଓ, ଜିଲାପାଳ ଭବାନୀ ଶଙ୍କର ଚଇନି, ଡିସିପି ଅଖିଳେଶ୍ବର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2020/02/7de41632-40d6-4bf7-af48-01cc827b8463.jpg)
ଏଠାରେ ସୂଚନା ଯୋଗ୍ୟ ଯେ, ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ର˚ଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବ୍ଡେ ଓ ଜଷ୍ଟିସ ଏନ୍.ଭି.ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାମ ବିଚାରପତି ପଦ ପାଇଁ ୨୦୧୯, ଅକ୍ଟୋବର ୩ରେ ସୁପାରିସ କରିଥିଲେ। ଏଥିସହିତ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କ ନାଁ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମ ଅକ୍ଟୋବର ୩ରେ ସୁପାରିସ କରିଥିଲେ। ୨୦୧୯, ମେ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ଅକ୍ଟୋବର ୩ରେ ସୁପ୍ରିମକୋର୍ଟ କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାଁ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଥିଲେ।
ବଲାଙ୍ଗୀର ସଦରବ୍ଲକ ବାରପୁଡୁଗିଆ ଗ୍ରାମର ନିମାଇଁଚରଣ ପାଣିଗ୍ରାହୀ ଓ ମନ୍ଦାକିନୀ ପାଣିଗ୍ରାହୀଙ୍କ ପୁତ୍ର ହେଉଛନ୍ତି ସଂଜୀବ କୁମାର ପାଣିଗ୍ରାହୀ। ତାଙ୍କର ପ୍ରାଥମିକ ପାଠପଢା ଗାଁ ସ୍କୁଲରେ ହୋଇଥିଲା। ପରେ ସେ ଖୁଣ୍ଟପାଲି ସରକାରୀ ବିଦ୍ୟାଳୟରେ ପଢିଥିଲେ। ରାଜେନ୍ଦ୍ର କଲେଜରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସମ୍ବଲପୁର ଏଲ୍ଆର୍ ଆଇନ ମହାବିଦ୍ୟାଳୟରୁ ଏଲ୍ଏଲ୍ବି ଏବଂ ବାଙ୍ଗାଲୋରସ୍ଥିତ ଜାତୀୟ ଆଇନ ବିଦ୍ୟାଳୟରୁ ସେ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଶେଷ କରିଥିଲେ। ଓକିଲାତି ଲାଇସେନ୍ସ ପାଇବା ପରେ କିଛି ଦିନ ହାଇକୋର୍ଟରେ ଓକିଲାତି କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଥା ବିଭିନ୍ନ କର୍ପୋରେଟ୍ ସଂସ୍ଥା ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ମାମଲା ଲଢ଼ିଥିଲେ। ବିଶେଷକରି, ରେଳଧାରଣାରେ କଟି ହାତୀଙ୍କ ମୃତ୍ୟୁ , ମଧ୍ୟାହ୍ନଭୋଜନ ବ୍ୟବସ୍ଥାରେ ଉନ୍ନତି ଓ ଦେଶର ପ୍ରତି ଜିଲ୍ଲାରେ ଡାଏଲିସିସ୍ ମେସିନ୍ ରହିବା ଭଳି ଗୁରୁତ୍ବପୂର୍ଣ୍ଣ ମାମଲାରେ ଲଢ଼ିଥିଲେ। ୨୦୦୬ ମସିହାରେ ଦେଶର ଜଣେ ଜଣାଶୁଣା ଆଇନଜୀବୀ ଡ. ଅଭିଷେକ ମନୁ ସିଂହଭିଙ୍କ ଚ୍ୟାମ୍ବରରେ ଯୋଗଦେବା ପୂର୍ବରୁ ଶ୍ରୀ ପାଣିଗ୍ରାହୀ ସୁପ୍ରିମକୋର୍ଟରେ ରିସର୍ଚ୍ଚ ଆସୋସିଏଟ୍ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ, ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଅନ୍ତର୍ଜାତୀୟ ପରିଦର୍ଶକ ନେତୃତ୍ବ କାର୍ଯ୍ୟକ୍ରମ (ଆଇଭିଏଲ୍ପି) ଭାବେ ଆମନ୍ତ୍ରିତ ହୋଇ ସେଠାରେ ମାସେ କାଳ କାର୍ଯ୍ୟ କରିଥିଲେ। ଜଣେ ସମ୍ଭକାର ଭାବେ ମଧ୍ୟ ବିଭିନ୍ନ ନ୍ୟାୟିକ ପ୍ରସଙ୍ଗରେ ବିଭିନ୍ନ ସମ୍ବାଦପତ୍ରରେ ଲେଖନୀ ଚାଳନା କରୁଥିଲେ ଏବଂ ବିଭିନ୍ନ ଆଇନ ବିଶ୍ବବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/712239a1-e97d-4f53-af1d-12713d8f914f.jpg)