ସୋନପୁର: ରାଜ୍ୟ ମାନବାଧିକାର କମିସନର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କ ପତ୍ନୀ ନେତ୍ରମଣି ପୂଜାହାରୀଙ୍କ ରବିବାର ମୁମ୍ବାଇସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୫୫ ବର୍ଷ ବୟସରେ ପରଲୋକ ଘଟିଛି। ସପ୍ତାହେ ପୂର୍ବରୁ ଅସୁସ୍ଥ ନେତ୍ରମଣିଙ୍କ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇ ଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଭୋର୍ ୫ଟା ୩୦ ମିନିଟ ସମୟରେ ପରଲୋକ ଘଟିଥିଲା। ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ଆଣିବାପରେ ରାଜ୍ୟର ବହୁ ବିଚାରପତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Advertisment

ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏକମାତ୍ର ଝିଅ ମିମାଂସା ମୁଖାଗ୍ନି ଦେଇଥିଲେ। ଜଷ୍ଟିସ ପୂଜାହାରୀଙ୍କ ପୈତୃକ ଗ୍ରାମ ସୁବଳୟାରୁ ବରିଷ୍ଠ ଆଇନଜୀବୀ ନନ୍ଦକିଶୋର ମିଶ୍ର, ଆଇନଜୀବୀ ବିଜୟ ପୁରୋହିତ, ଅଶୋକ ପୁରୋହିତ, ଧୀରେନ୍ଦ୍ର ନାରାୟଣ ପଣ୍ଡା, ପ୍ରଦୀପ ମିଶ୍ର, ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର, ଜଷ୍ଟିସ ପୂଜାହାରୀଙ୍କ ପୁତୁରା କାଶୀରାମ ପୂଜାହାରୀ, ସ୍ବର୍ଗତ ନେତ୍ରମଣିଙ୍କ ତିନି ଭାଇ ଓ ପରିବାର ସଦସ୍ୟ ପ୍ରମୁଖ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।