କଟକ: ମାମଲା ସମାଧାନ କ୍ଷେତ୍ରରେ ମଧ୍ୟସ୍ଥତା ପ୍ରକ୍ରିୟା ଗୁରୁତ୍ବପୂର୍ଣ୍ଣ। କାରଣ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ସମାଧାନ ସମୟରେ ଉଭୟ ପକ୍ଷଙ୍କ ପ୍ରସ୍ତାବକୁ ଗୁରୁତ୍ବ ଦିଆଯାଏ। ଓଡ଼ିଶା ଜୁଡିସିଆଲ୍ ଅକାଦେମିରେ ‘ମଧ୍ୟସ୍ଥତା ଜରିଆରେ ମାମଲାର ତ୍ବରିତ ସମାଧାନ’ ପ୍ରସଂଗକୁ ନେଇ ବିଚାର ବିଭାଗୀୟ ଅଧିକାରୀଙ୍କ ପାଇଁ ଆୟୋଜିତ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏହା କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଭିନିତ ସରନ। ଜଷ୍ଟିସ ଶ୍ରୀ ସରନ କହିଲେ ଯେ ମଧ୍ୟସ୍ଥତା ପ୍ରକ୍ରିୟାରେ ସବୁ ପକ୍ଷଙ୍କୁ ସଂପୃକ୍ତ କରାଯାଇ ମାମଲାର ସମାଧାନ କରାଯାଏ। ପକ୍ଷଙ୍କ ମତକୁ ଗୁରୁତ୍ବ ଦିଆଯାଇଥାଏ। ମଧ୍ୟସ୍ଥତାର କ୍ରମବିକାଶ ସହିତ ବହୁ ଆଇନଗତ ବିବାଦର ସମାଧାନ ହୋଇପାରୁଛି। ଦେଶ ପାଇଁ ମଧ୍ୟସ୍ଥତା ନୂଆ ନୁହେଁ ବୋଲି ସେ କହିଥିଲେ।
ଉଦ୍ଘାଟନୀ ଉତ୍ସବରେ ଅକାଦେମିର ମୁଖ୍ୟ ତଥା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଯୋଗ ଦେଇ ଓଡ଼ିଶାରେ ମଧ୍ୟସ୍ଥତା ସଂସ୍କୃତିକୁ ଉତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟାରେ ମାମଲାର ପକ୍ଷମାନେ ସମାଧାନକୁ ଆପୋସରେ ଗ୍ରହଣ କରିଥାନ୍ତି। ସବୁ ଦିନ ପାଇଁ ମାମଲାର ଅନ୍ତ ଘଟିଥାଏ ବୋଲି ମୁଖ୍ୟ ବିଚାରପତି କହିଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ପ୍ରଶିକ୍ଷଣ ଶିବିର ଓ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ। ଜଷ୍ଟିସ ସାବିତ୍ରୀ ରଥ ମଧ୍ୟସ୍ଥତା ମାଧ୍ୟମରେ ମାମଲା ସମାଧାନ ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ବିଚାରପତି ଗତିକୃଷ୍ଣ ମିଶ୍ର ପ୍ରେକ୍ଷାଳୟରେ ଓଡ଼ିଶା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ୪୦ ଘଣ୍ଟିଆ (୫ ଦିନ) କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କର୍ମଶାଳାରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାର ୩୦ ଜଣ ବିଚାର ବିଭାଗୀୟ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ପ୍ରତି ଜିଲ୍ଲାରୁ ୬ ଜଣ ଲେଖାଏଁ ବିଚାର ବିଭାଗୀୟ ଅଧିକାରୀ ରହିଛନ୍ତି। ଦିଲ୍ଲୀ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷିକା ବୀଣା ରାଲ୍ଲୀ ଓ ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜେପି ସେଙ୍ଗ ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟସ୍ଥତା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ମଧ୍ୟସ୍ଥତା ଜରିଆରେ ମାମଲାଗୁଡ଼ିକର କିପରି ସୁଚାରୁ ଭାବେ ସମାଧାନ ହୋଇପାରିବ ଓ ଉଭୟପକ୍ଷ କିପରି ଏହା ଦ୍ବାରା ନ୍ୟାୟ ପାଇ ପାରିବେ ସେ ନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମକୁ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ, ଅଧିକାରୀ, କର୍ମଚାରୀ, ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀ, ଓଡ଼ିଶା ଜୁଡିସିଆଲ୍ ଅକାଦେମିର ନିର୍ଦ୍ଦେଶକ ଓ ଅଧିକାରୀ ପରିଚାଳନାରେ ସହଯୋଗ କରୁଛନ୍ତି।