ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା : ଆଜି ସୁପ୍ରିମକୋର୍ଟରେ ଶପଥ ଗ୍ରହଣ

କଟକ : ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନଙ୍କୁ ରବିବାର ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ଜଷ୍ଟିସ ସରନ ମଙ୍ଗଳବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ହାଇକୋର୍ଟରେ ଆୟାଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ରେଜିଷ୍ଟ୍ରିର ସମସ୍ତ ଅଧିକାରୀଙ୍କ ସହିିତ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସଂପାଦକ ସତ୍ୟବ୍ରତ ମହାନ୍ତି, ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତି, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି, ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ଓ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ଅଗଷ୍ଟ ୭ ତାରିଖ ସକାଳ ୧୦ଟା ୩୦ରେ ଜଷ୍ଟିସ ସରନ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜଷ୍ଟିସ ସରନ ୨୦୧୬, ଫେବ୍ରୁଆରି ୨୬ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର