୩୧ ବର୍ଷ ପରେ ମିଳିଲା ନ୍ୟାୟ: ଶିକ୍ଷକଙ୍କ ବକେୟା ପ୍ରାପ୍ୟ ପ୍ରଦାନ, ଝିଅର ଥଇଥାନ ପାଇଁ ନିର୍ଦ୍ଦେଶ 

କଟକ : ୩୧ ବର୍ଷ ତଳେ ସ୍କୁଲ ଯାଉଥିବା ବେଳେ ନିଖୋଜ ହୋଇଥିବା ଶିକ୍ଷକଙ୍କ ବକେୟା ପ୍ରାପ୍ୟ ଓ ତାଙ୍କ ଝିଅଙ୍କୁ ଥଇଥାନ ଯୋଜନାରେ ଚାକିରି ପ୍ରଦାନ ପ୍ରସଙ୍ଗରେ ଏକ ମାସ ଭିତରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ୧୯୯୦ରୁ ନିଖୋଜ ଥିବା ଶିକ୍ଷକଙ୍କ ଝିଅ ପଦ୍ମାବତୀ ବାଗ ଏହି ପ୍ରସଙ୍ଗ ନେଇ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ନିକଟରେ ଦରଖାସ୍ତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହା ପରେ ପଦ୍ମାବତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାପାଙ୍କ ବକେୟା ପ୍ରାପ୍ୟ ଓ ଥଇଥାନ ଯୋଜନାରେ ନିଯୁକ୍ତି ପ୍ରସଂଗ ନେଇ ଆବେଦନକାରୀ କରିଥିବା ଦରଖାସ୍ତ ଉପରେ କଳାହାଣ୍ଡି ଡିଇଓ ଦେଢ଼ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ହାଇକୋର୍ଟରେ ଦାଖଲ ରିଟ୍ ଆବେଦନର କପି ସହିତ ନିର୍ଦ୍ଦେଶର କପି ଡିଇଓଙ୍କ ନିକଟରେ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପଦ୍ମାବତୀ ବାଗଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ହିମାଞ୍ଚଳ ବାଗ ୧୯୮୦, ମାର୍ଚ୍ଚ ୧୪ରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ୧୯୯୦, ଫେବ୍ରୁଆରି ୧୦ରେ ତେଜିପଡ଼ା ସରକାରୀ ୟୁପି ସ୍କୁଲକୁ ନିଜ ଦାୟିତ୍ବ ସଂପାଦନ ପାଇଁ ସେ ଘରୁ ବାହାରିଥିଲେ। ବାଟରେ ସେ ନ‌ିଖୋଜ ହୋଇ ଯାଇଥିଲେ। ତାଙ୍କ ନିଖୋଜ ନେଇ ପରିବାର ପକ୍ଷରୁ କର୍ଲାମୁଣ୍ଡା ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ହିମାଞ୍ଚଳଙ୍କର ଆଉ କିଛି ଖବର ମିଳି ନଥିଲା। ଅନ୍ୟପକ୍ଷରେ ତାଙ୍କ ପରିବାର ସଦସ୍ୟଙ୍କୁ କୌଣସି ପ୍ରକାର ସରକାରୀ ସହାୟତା, ପରିବାର ପେନସନ୍ ବା ବକେୟା ପ୍ରାପ୍ୟ ମିଳି ନଥିଲା। ହିମାଞ୍ଚଳଙ୍କ ବକେୟା ପ୍ରାପ୍ୟ ଓ ଥଇଥାନ ଯୋଜନାରେ ନିଯୁକ୍ତି ପ୍ରସଂଗକୁ ନେଇ ହିମାଞ୍ଚଳଙ୍କ ଝିଅ ପଦ୍ମାବତୀ ଡିଇଓ, ଜିଲ୍ଲାପାଳ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନଥିଲା। ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, କଳାହାଣ୍ଡି ଜିଲ୍ଲାପାଳ ଓ ଡିଇଓଙ୍କୁ ପକ୍ଷଭୁକ୍ତ କରି ପଦ୍ମାବତୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର