ଜଷ୍ଟିସ ଯଶୱନ୍ତ ସିଂହ ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ/ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ଯଶୱନ୍ତ ସିଂହ। ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସିଂହଙ୍କ ନାମ ସୁପାରିସ କରିଛନ୍ତି। ଏବେ ସେ ଓଡ଼ିଶା ହାଇକୋର୍ଟ‌ର ବରିଷ୍ଠ ବିଚାରପତି ଅଛନ୍ତି। ୧୯୬୧, ଫେବ୍ରୁଆରି ୨୩ରେ ହରିଆଣାର ରୋହତକଠାରେ ଜଷ୍ଟିସ ସିଂହ ଜନ୍ମଗ୍ରହଣ କରିଥିଲେ। ୧୯୮୦ରେ ସ୍ନାତକ ପାସ୍ କରିବାପରେ ସେ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟରୁ ଆଇନ ଓ ଏମ୍‌ବିଏ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ଆଇନଜୀବୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ହରିଆଣାର ଆସିଷ୍ଟାଣ୍ଟ ଆଡ୍‌ଭୋକେଟ୍‌ ଜେନେରାଲ, ଡେପୁଟି ଆଡଭୋକେଟ ଜେନେରାଲ, ବରିଷ୍ଠ ଡେପୁଟି ଆଡ୍‌ଭୋକେଟ୍‌ ଜେନେରାଲ ଓ ଅତିରିକ୍ତ ଆଡ୍‌ଭୋକେଟ୍‌ ଜେନେରାଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୭, ଡିସେମ୍ବର ୭ରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ୨୦୨୧, ଅକ୍ଟୋବର ୮ରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା।

ସମ୍ବନ୍ଧିତ ଖବର