ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓ ଜଷ୍ଟିସ ସଂଜୟ କୁମାର ମିଶ୍ର

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓ ଜଷ୍ଟିସ ସଂଜୟ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି। ଆଜି ହାଇକୋର୍ଟ ନୂଆ କନଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କୁ ଶପଥପାଠ କରାଇଥିଲେ। ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିକୋର୍ଟ କଲେଜିଅମ୍ ସୁପାରିସ କରିଥିଲ। ଏହାପରେ ଏ ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩, ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।


ସେହିଭଳି ଭାବେ ୨୦୨୨, ଜାନୁଆରି ୨୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଶ୍ରୀ ମିଶ୍ରଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୯୬୭, ନଭେମ୍ବର ୧୪ରେ ଇଂଜିନିୟର ବିଭୁତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କ ପୁଅ ଭାବେ ଶ୍ରୀ ମିଶ୍ର ଜନ୍ମ ଗ୍ରହଣ କରିଥିଲେ। ୧୯୮୩ରେ ତାଳଚେର ଥର୍ମାଲ ହାଇସ୍କୁୁଲରୁ ସେ ମାଟ୍ରିକ୍ ପାସ୍ କରିଥିଲେ। ଅନୁଗୁଳ ସରକାରୀ କଲେଜରୁ ସେ ବି.କମ୍ ପାସ୍ କରିବା ସହିତ ୧୯୯୦ରେ ମଧୁସୂଦନ ଆଇନ କଲେଜରୁ ଏଲଏଲ.ବି. ଡିଗ୍ରି ହାସିଲ କରିଥିଲେ। ୧୯୯୦, ନଭେମ୍ବର ୧୮ରେ ସେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ। ସାମ୍ବିଧାନିକ, ଶ୍ରମ, ଶିଳ୍ପ, ଚାକିରି ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା। ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର