ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ଜେଲ୍‌ଦଣ୍ଡ

ଦୋଷୀକୁ ଆଜୀବନ ଜେଲ୍‌, ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ

କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କଟକ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲା ଖେଜୁରୀ ଥାନା ଅଞ୍ଚଳର ଫୁକନ ଓରଫ ଖୋକନ ମାଇତି(୩୩)କୁ ଆଜୀବନ କାରାଦଣ୍ଡ ସହିତ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ପୋକ୍‌ସୋ ଆଇନର ଧାରା ୬ ସହିତ ଆଇପିସିର ଦଫା ୩୬୩,୩୬୬-କ,୩୭୬(୩)ରେ ଖୋକନକୁ ଦୋଷୀସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହିତ, ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ହେବାପରେ ଏକ ସନ୍ତାନକୁ ଜନ୍ମ ଦେଇଥିବା ଘଟଣା ତଥା ପିଲାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଦାଲତ କ୍ଷତିପୂରଣ ରାଶି ୭ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଅଦାଲତ କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ଖୋକନ ଟାଙ୍ଗୀ ଥାନା ଅନ୍ତର୍ଗତ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲା। ତଳ ମହଲାରେ ଭଡ଼ାନେଇ ପୀଡିତାଙ୍କ ପରିବାର ରହୁଥିଲେ। ଖୋକନ ୧୪ ବର୍ଷୀୟା ପୀଡ଼ିତାଙ୍କୁ ଅପହରଣ କରି ନେଇ ଯାଇଥିଲା। ୨୦୧୯, ଅକ୍ଟୋବର ୩୦ରେ ପୀଡ଼ିତାଙ୍କ ମା’ ଝିଅର ଅପହରଣ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ କୋଲକାତା ଯାଇ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଖୋକନକୁ ଗିରଫ କରିଥିଲା। ପରବର୍ତ୍ତୀ ସମୟ‌େର ପୀଡ଼ିତା ଏକ ପିଲାକୁ ଜନ୍ମ ଦେଇଥିଲେ। ପୁଲିସ ଚାର୍ଜସିଟ ଦାଖଲ କରିବାପରେ ସ୍ବତନ୍ତ୍ର ଅଦାଲତରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ପୀଡ଼ିତା, ଅଭିଯୁକ୍ତ ଓ ଶିଶୁର ଡିଏନଏ ଟେଷ୍ଟ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ୍ ତରଫରୁ ୧୧ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର