ବାରିପଦା ବ୍ୟବସାୟୀ ସଂଘ ପକ୍ଷରୁ ୭ ଦିନିଆ ବନ୍ଦ : ଜୋରଜବରଦସ୍ତ ଚା ଦୋକାନ ବନ୍ଦକୁ ନେଇ ନାବାଳକଙ୍କୁ ଆକ୍ରମଣ

ବ୍ୟବସାୟୀ ସଂଘର ସଂପାଦକଙ୍କୁ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକ

ଉଦ୍ଧାର ପାଇଁ ନାକେଦମ ହେଲା ପୁଲିସ୍
ଶସ୍ତା ଲୋକପ୍ରିୟତା ହାସଲ କାଳ ହେଲା

ବାରିପଦା : କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବାକୁ ବାରିପଦା ବ୍ୟବସାୟୀ ସଂଘ ତଥା ଅନ୍ୟାନ୍ୟ କିଛି ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ୭ ଦିନିଆ ବନ୍ଦ ଡାକରା ଆରମ୍ଭରୁ ଝୁଣ୍ଟିଛି। ଆଜି ସକାଳୁ ବ୍ୟବସାୟୀ ସଂଘର କିଛି କର୍ମକର୍ତ୍ତା ସହର ସାରା ବୁଲି ଦୋକାନ ବଜାର ବନ୍ଦ କରିବାକୁ ପିକେଟିଂ କରୁଥିଲେ। ଏହି ସମୟରେ ମଧୁବନ ଅଞ୍ଚଳରେ ଝୁନୁ ଚା’ ଦୋକାନରେ ଉକ୍ତ ଦୋକାନୀଙ୍କ ନାବାଳକ ପୁଅକୁ ବ୍ୟବସାୟୀ ସଂଘର ଅକ୍ଷୟ ଅଗରୱାଲା ଏବଂ ସରୋଜ ବୋଷ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ପିକେଟିଂ କରୁଥିବା କର୍ମକର୍ତ୍ତାଙ୍କୁ ଏକପ୍ରକାର ବିରୋଧ କରିଥିଲେ। ଜୋରଜବରଦସ୍ତ ଦୋକାନ ବନ୍ଦ କରିବା ଏବଂ ମାଡ଼ ମାରିବା ଘଟଣାକୁ ସ୍ଥାନୀୟ ଲୋକ ସହ୍ୟ କରିପାରିନଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥିବା ଦୁଇ କର୍ମକର୍ତ୍ତାଙ୍କ ସହିତ ଅନ୍ୟାମାନଙ୍କୁ ବିରୋଧ କରିଥିଲେ। ତେବେ ଘଟଣାସ୍ଥଳରୁ ଅକ୍ଷୟଙ୍କ ସହିତ ଅନ୍ୟମାନେ ଖସିଯାଇଥିବାବେଳେ ସରୋଜ କିନ୍ତୁ ଖସିପାରିନଥିଲେ। ତାଙ୍କୁ ସେହି ଚା’ ଦୋକାନରେ ପ୍ରାୟ ୨ଘଣ୍ଟାରୁ ଊର୍ଧ୍ବ ସମୟ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଖବର ପାଇଁ ଘଟଣାସ୍ଥଳରେ ବାରିପଦା ଟାଉନ୍ ଥାନା ପୁଲିସ୍ ପହଞ୍ଚିଥିଲା। ମାତ୍ର ସରୋଜଙ୍କୁ ଛଡ଼ାଯାଇନଥିଲା। ପରେ ବାରିପଦା ସଦର ଏସ୍‌ଡିପିଓ କେ କେ ହରିପ୍ରସାଦ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା। ମାଡ଼ ମାରିଥିବା ଅନ୍ୟତମ ବ୍ୟବସାୟୀଙ୍କୁ ଘଟଣାସ୍ଥଳକୁ ଡାକିବା ସହିତ କ୍ଷମା ମାଗିବାକୁ ଦାବି କରିଥିଲେ।

ପରେ ବ୍ୟବସାୟୀ ସଂଘର ଅନ୍ୟତମ ବରିଷ୍ଠ କର୍ମକର୍ତ୍ତା ଯୋଗେଶ ଅଗ୍ରୱାଲା ଏବଂ ସହରର ବହୁ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଇଥିବା ନାବାଳକଙ୍କ ପରିବାର ସହିତ ଆଲୋଚନା ପରେ ଦିନ ପ୍ରାୟ ୨ଟାରେ ସରୋଜଙ୍କୁ ପୁଲିସ୍ ଉଦ୍ଧାର କରିଥିଲା। ତେବେ ଏନେଇ ମାଡ଼ ଖାଇଥିବା ନାବାଳକଙ୍କର ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଘଟଣାକୁ ବାହାରେ ରଫାଦଫା କରିଦିଆଯାଇଥିବା ଜଣାପଡ଼ିଛି। ମାତ୍ର ପୁଲିସ୍ ଏହି ଘଟଣାକୁ ଗୁରୁତର ସହିତ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର