ବାପା ଆରପାରିରେ, ମା’ ଆଖି ବୁଜିଲେ: ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛି ନାବାଳକ

ରାଜନଗର : ଦୁଇବର୍ଷ ତଳେ ବିଦ୍ୟୁତ୍‌ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିଲା। ଜ୍ୱରରେ ପଡ଼ି ଚିକିତ୍ସା ଅଭାବରୁ ଏବେ ଚାଲିଗଲେ ମା। ବାପା, ମା’ଙ୍କୁ ହରାଇ ଏକା ହୋଇଯାଇଛନ୍ତି ୧୪ ବର୍ଷର ୧୦ମ ଶ୍ରେଣୀ ଛାତ୍ର ଭାଗବତ। ଏବେ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛନ୍ତି। ଯିଏ ବି ଏହି ଦୃଶ୍ୟ ଦେଖୁଛନ୍ତି, ତାଙ୍କ ପାଟିରୁ ଆହା-ଚୁ-ଚୁ- ପଦେ ବାହାରି ଆସୁଛି।

ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ବେସାହାରା ବାଳକ ଭାଗବତ ଦାସ (୧୪)। ବାପା ଗୁରୁବାରି ଦାସ (୪୫)ଙ୍କ ୨ ବର୍ଷ ତଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଥିଲା। ନଭେମ୍ବର ୧ ତାରିଖ ଦିନ ମା ଉଲି ଦାସ (୪୩)ଙ୍କ ମୃତ୍ୟୁ ଘଟିଛି। ଉଲି ୫ଦିନ ଧରି ଭଙ୍ଗା ଘର ଭିତରେ ଜ୍ୱରରେ କମ୍ପୁଥିଲେ। ପାଖରେ ଟଙ୍କା ନ ଥିବାରୁ ଏବଂ ଘରେ ନାବାଳକ ପୁଅ ଛଡ଼ା ଆଉ କେହି ନ ଥିବାରୁ ଚିକିତ୍ସା ନ ପାଇ ଘରେ ପଡ଼ି ରହିଥିଲେ। ଅସୁସ୍ଥତା ଯୋଗୁଁ ରୋଷେଇ କରି ନ ପାରିବାରୁ ଉପବାସ ବି ରହିଥିଲେ। ଅକ୍ଟୋବର ୩୧‌ରେ ଘରୁ ବାହାରକୁ ବାହାରୁଥିବା ବେଳେ ପଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡମେଡିକାଲରେ ଭର୍ତ୍ତି କରିଥିଲେ। ନଭେମ୍ବର ୧ରେ ଉଲିଙ୍କ ମୃତ୍ୟୁ ଘଟିଥିଲା।

ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାରଠୁ ଆରମ୍ଭ କରି ଦଶଦିନ ଯାଏ ଖାଦ୍ୟପେୟ କଥା ଗ୍ରାମବାସୀ ବୁଝୁଛନ୍ତି। ଗାଁରେ ଭିକ ମାଗି ଓ ଗ୍ରାମବାସୀଙ୍କ ସହଯୋଗରେ ୧୪ ବର୍ଷର ବାଳକ ମା’ଙ୍କ ଦଶାହ ଓ ଏକାଦଶାହ କର୍ମ କରୁଛନ୍ତି। ସରକାର ହରିଶ୍ଚନ୍ଦ୍ର ଯୋଜନା କରିଥିଲେ ମଧ୍ୟ ଏଭଳି ଅସହାୟ ନାବାଳକକୁ ମାର ଶବ ସତ୍କାର ପାଇଁ ସହାୟତା ଦିଆଯାଇନି। କେବଳ ହରିଶ୍ଚନ୍ଦ୍ର ସହାୟତା ନୁହେଁ, ବିଧବା ଭତ୍ତା ପାଇଁ ଦୌଡ଼ି ଦୌଡ଼ି ଶେଷରେ ଭାଗବତଙ୍କ ମା’ ଆଖିବୁଜି ଦେଇଛନ୍ତି। ଅନାଥ ଭାଗବତ ଏବେ କେମିତି ରହିବେ, କ’ଣ ଖାଇବେ, କିପରି ପାଠ ପଢ଼ିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ପରିବାରରେ କେହି ନଥିବା ବେଳେ ଭାଗବତଙ୍କ ଦାଦା ମୁକ ଓ ବଧିର। ଅନାଥ ଭାଗବତ ଗାଁରେ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗି ଟଙ୍କା ସଂଗ୍ରହ କରିଛନ୍ତି। ଇତିମଧ୍ୟରେ ମା’ଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କରି ସାରିଥିଲାବେଳେ ଆଗକୁ ପଡ଼ିଥିବା ପଥ, ତାଙ୍କ ପାଇଁ ଅନ୍ଧାର ପାଲଟିଛି!!!

ସମ୍ବନ୍ଧିତ ଖବର