ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବାମେବାରୀ ଥାନା ବଡ଼କାଳିମାଟିରେ ଘଟିଥିବା ନାବାଳିକା ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇପାରୁ ନାହିଁ। ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ବଡ଼କାଳିମାଟି ଗ୍ରାମକୁ ଯାଇ ମୃତ ନାବାଳିକାଙ୍କ ପରିବାରକୁ ଭେଟିଥିଲେ। କେଉଁ ପରିସ୍ଥିତିରେ ନାବାଳିକାଙ୍କ ମୃତ୍ୟୁ ଘଟିଲା ସେନେଇ ପଚାରି ବୁଝିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ସେହିପରି ଘଟଣାସ୍ଥଳରୁ ଜଣେ ଯୁବକଙ୍କ ଭୋଟର କାର୍ଡ ଓ ମନିପର୍ସ ପୁଲିସ ପାଇଥିଲା। ଉକ୍ତ ଯୁବକ ତାଙ୍କ ଘରେ ଦୁଇମାସ ପୂର୍ବରୁ ରହୁଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକ ସାମିଲ ଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏହାଛଡ଼ା ନାବାଳିକାଙ୍କୁ ତାଙ୍କ ସାବତ ମା ପୂର୍ବରୁ ନିର୍ଯାତନା ଦେଉଥିଲେ। ଏଥିରେ ସେ ମଧ୍ୟ ସଂପୃକ୍ତ ଥିବା ମୃତ ନାବାଳିକାଙ୍କ ଦାଦା ଅଭିଯୋଗ କରିଛନ୍ତି।
ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରି ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହି ଏତଲାକୁ ବଦଳାଇ ଦେଇଥିବା ପରିବାର ଲୋକେ ଶ୍ରୀ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଶ୍ରୀ ପଟ୍ଟନାୟକ ବାମେବାରୀ ଥାନାକୁ ଯାଇ ଘଟଣାର ତଦନ୍ତ କରୁଥିବା ଏସ୍ଆଇ ଜି. ଲାକ୍ରାଙ୍କୁ ଭେଟି ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଘଟଣାରେ ପୁଲିସ ତଦନ୍ତ ସନ୍ତୋଷଜନକ ନୁହେଁ। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ତାଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଚମ୍ପୁଆ ବ୍ଲକ୍ କଂଗ୍ରେସ ସଭାପତି ପ୍ରଦୀପ ନାଏକ, ଯୋଡ଼ା ବ୍ଲକ୍ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାଏକ, ଯୋଡ଼ା ପୌରାଞ୍ଚଳ କଂଗ୍ରେସ କମିଟି ସଭାପତି କରୁଣାକର ପାତ୍ର, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ସେଠୀ, ପିସିସି ସଦସ୍ୟ ଅଶୋକ ଠକ୍କର, ଯଦୁମଣି ବାରିକ, ପ୍ରଭାକର ନାଏକ, ଦୟାନିଧି ସାମିଲ ଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୨୬ ତାରିଖରେ ବଡ଼କାଳିମାଟି ଗ୍ରାମର ଏକ ଘରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ବାମେବାରୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।