ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ; ୨ କୋର୍ଟଚାଲାଣ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଜାଗର ମେଳାରୁ ଜଣେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରାଯାଇଛି। ପୁଲିସ ଘଟଣାରେ ସଂପୃକ୍ତ ଦୁଇଜଣଙ୍କୁ ଗତକାଲି ରାତିରେ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆଉ ଜଣଙ୍କୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଉଠାଇ ଆଣିଛି।

ପୁଲିସ ସୂଚନା ଅନୁଯାୟୀ, ସଂପୃକ୍ତ ନାବାଳିକା ତାଙ୍କ ଭାଇ ସହିତ ଶନିବାର ଜାଗରମେଳା ଦେଖିବାକୁ ଯାଇଥିଲେ।  ନାବାଳିକା ଜଣକ ଜାଗର ମେଳାରେ ପଡିଥିବା ମିନାବଜାରରେ ବୁଲୁଥିଲା ବେଳେ ହଠାତ ବିଦ୍ୟୁତ୍ କାଟ ହୋଇଥିଲା। ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କୁ ଟେକି ନେଇ ଏକ ଘର ବାରଣ୍ଡାରେ  ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତା ନାବାଳିକା ପାଟଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪୩/୨୨ରେ ଆଇପିସି ୩୭୬ ଦଫା, ପୋକ୍ସ ଆକ୍ଟ ୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ରବିବାର ପୁଲିସ ଅଭିଯୁକ୍ତ  କାମେଶ୍ୱରପୁରର ପାଣ୍ଡବ ନାଏକ (୨୪), ଟିକାୟତପାଟଣାର ରଞ୍ଜିତ ମହାନ୍ତି (୨୩)ଙ୍କୁ ଉଠାଇ ଆଣି ଅଟକ ରଖିଥିଲା। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ପାଟଣା ପୁଲିସ ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଚଢ଼ଉ କରି ଅନ୍ୟତମ ଅଭିଯୁକ୍ତ ସୁନୀଲକୁମାର ବେହେରାଙ୍କୁ ଉଠାଇ ଆଣିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରଜେନ୍ଦ୍ରକୁମାର ସ୍ବାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର