ସୁନ୍ଦରଗଡ଼/ବଡ଼ଗାଁ: ଶନିବାର ବଡ଼ଗାଁ ଥାନା ମୁକୁନ୍ଦପୁର ଓ କଣ୍ଟିଆମୁରା ଗାଁରେ ବାଲ୍ୟ ବିବାହ କରିଥିବା ୨ ନାବାଳିକାଙ୍କୁ ପ୍ରଶାସନ ଉଦ୍ଧାର କରିଛି। ସେମାନଙ୍କୁ ଦିଶା ଆଶ୍ରୟ କେନ୍ଦ୍ରକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଡୋକ୍ରା ଗ୍ରାମର ଜଣେ ୧୫ ବର୍ଷିୟା ନାବାଳିକା ତୁଡ଼ାଲଗା ପଞ୍ଚାୟତର ମୁକୁନ୍ଦପୁର ଗାଁରେ ବିବାହ କରିଥିଲେ। ସେହିପରି ଜାଙ୍ଗଲିଗାଁର ୧୬ ବର୍ଷିୟା ନାବାଳିକା କଣ୍ଟିଆମୁରା ଗାଁକୁ ଆସି ବିବାହ କରିଥିଲେ। ଏହି ଦୁଇଟି ବାଲ୍ୟ ବିବାହ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବଡ଼ଗାର୍ ଥାନାର ଶିକ୍ଷାନବିସ ଉପ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ମହାପାତ୍ର, ଥାନାର ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ଉପନିରୀକ୍ଷକ ମିଲି ସାହୁ, କନଷ୍ଟେବଳ ଭଗବତୀ ରଣା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୂତପା ଚୌଧୁରୀ, ପରିଦର୍ଶିକା କୁନ୍ତିସୂତା ପାଣିଗ୍ରାହୀ, ତୁଡ଼ାଲଗା ସରପଞ୍ଚ ସୁଦୀପ ବାଡ଼ା ଓ ଅଙ୍ଗନବାଡ଼ିକର୍ମୀ ଯାଇ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।
ଏହା ସହ ନାବାଳିକାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଆଣି ବଡ଼ଗାଁ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟରେ କାଉନସେଲିଂ କରାଯାଇଥିଲା। ବିବାହ ବୟସ ପୂର୍ବରୁ ବିବାହ ଆଇନଗତ ଅପରାଧ। ଏହା ଛଡ଼ା ନାବାଳିକାଙ୍କ ଉପରେ ଏହା ଉଭୟ ମାନସିକ ଓ ଶାରୀରିକ ଭାବେ ଗମ୍ଭୀର ପ୍ରଭାବ ପକାଇଥାଏ ବୋଲି ବୁଝାଇଥିଲେ। ନାବାଳିକାଙ୍କୁ ଦିଶା ଆଶ୍ରୟ ସ୍ଥଳରେ ରଖାଯାଇଥିବା ବେଳେ ବିବାହ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଟିମ୍ କହିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଟିମ୍ ବଡ଼ଗାଁ ଅଞ୍ଚଳରେ ୮ଟି ବାଲ୍ୟ ବିବାିହ ରୋକିବାରେ ସଫଳ ହୋଇଥିଲେ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ସହାୟତାରେ ‘ଯୁବବର୍ଗଙ୍କ ସାମାଜିକ ବିକାଶ’ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଶିଶୁ ଅନୁକୂଳ କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତରେ ସରପଞ୍ଚଙ୍କ ଅଧକ୍ଷତାରେ ଗଠନ ହୋଇଥିବା ଶିଶୁ ଅଧିକାର ସମନ୍ଵୟ କମିଟି ମାଧ୍ୟମରେ ଏଥିପାଇଁ ସଚେତନତା ସୃଷ୍ଟି କରାଯାଉଛି।