ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍

ବାରିପଦା: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ଶେଖର ମୁର୍ମୁ(୩୨)କୁ ଦୋଷୀସାବ୍ୟସ୍ତ କରିଛନ୍ତି ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକସ୍ କୋର୍ଟ ବିଚାରପତି ସୁମିତା ଜେନା। ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଓ ୯ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ସେ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ; ୨୦୧୪ ମସିହା ସେ‌ପ୍ଟେମ୍ବର ୯ ତାରିଖ ସଂଧ୍ୟାରେ ତିରିଂ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀରେ ପଢୁଥିବା ୧୫ ବର୍ଷୀୟା ନାବାଳିକା ଶୌଚ ହେବାକୁ ଯାଇଥିଲେ।

ଏହି ସମୟରେ ଶେଖର ତାର କିଛି ସହଯୋଗୀଙ୍କ ଦ୍ବାରା ନାବାଳିକାଙ୍କୁ ଅପହରଣ କରି ନେଇଥିଲା। ଏନେଇ ନାବାଳିକାଙ୍କ ବାପା ତିରିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାବାଳିକାଙ୍କୁ ଶେଖର ଦୁଇ ଦିନ ବାହାରେ ରଖି ଦୁଷ୍କର୍ମ କରିବା ପରେ ଏକ ନିଚ୍ଛାଟିଆ ସ୍ଥାନରେ ଛାଡି ପଳାଇଥିଲା। ଖବର ପାଇ ପରିବାର ଲୋକ ନାବାଳିକାକୁ ଉଦ୍ଧାର କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ଶେଖରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠୁ ସେ ବାରିପଦା ସର୍କଲ ଜେଲରେ ବିଚାରଧୀନ କଏଦୀ ଭ‌ାବେ ରହି ଆସୁଛି। ଏହି ମାମଲାରେ ୧୨ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ, ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ଶେଖର ମୁର୍ମୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଏଥିସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର