ରାଉରକେଲା : କେ.ବଲାଙ୍ଗ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକା(୧୬)ଙ୍କୁ ମାଓବାଦୀ ନାଁରେ ଧମକଚମକ ଦେଇଥିଲା। ପରେ ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲା ସଞ୍ଜୀବ ବାର୍ଲା(୩୦)। ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଜଜ୍ ତଥା ପ୍ରିଜାଇଡିଂ ଅଫିସର(ପକ୍ସୋ କୋର୍ଟ, ସୁନ୍ଦରଗଡ଼) ପାର୍ଥ ସାରଥୀ ପଟ୍ଟନାୟକ ସଞ୍ଜୀବ ବାର୍ଲାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ଦଣ୍ଡବିଧି ଧାରା ୩୬୬(ଏ) ଓ ୩୭୬ରେ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଏକ ବର୍ଷ ଅଧିକ କାରାବାସର ଆଦେଶ ଦେଇଛନ୍ତି।

Advertisment

ପୀଡ଼ିତାର ସଠିକ୍‌ ବୟାନ ଓ ୧୨ ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଓ ପୁଲିସର ସବିଶେଷ ତଦନ୍ତ ରିପୋର୍ଟକୁ ଆଧାର କରି ବିଚାରପତି ଏହି ରାୟ ପ୍ରକାଶ କରିଛନ୍ତି। ଏହାସହ ବିଚାରପତି ରାୟରେ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅବଦୁଲ ସମୀମ ଅଖତର ମାମଲା ପରିଚାଳନା କରିଥିଲେ।

ଏହି ଘଟଣା ଘଟିଥିଲା ଗତ ୨୦୧୪ ମସିହା ଡିସେମ୍ବର ୧ ତାରିଖ ରାତିରେ। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଢିପାଟୋଲିର ମୂଳବାସିନ୍ଦା ତଥା କେ.ବଲାଙ୍ଗ ଥାନା ଅନ୍ତର୍ଗତ ସାନବାଲିଯୋରୀରେ ରହୁଥିବା ସଞ୍ଜୀବ ବାର୍ଲା(୩୦) ସେଠାକାର ଏକ ଗାଁକୁ ପଶିଥିଲା। ନିଜକୁ ମାଓବାଦୀ ପରିଚୟ ଦେଇଥିଲା। ଏହାସହ ମାଓବାଦୀଙ୍କ ପାଇଁ ରୋଷେଇ କରିବାକୁ କିଛି ନାବାଳିକାଙ୍କୁ ତା ସହ ପଠାଇବାକୁ ଗାଁ ଲୋକଙ୍କୁ କହିଥିଲା। ଦୀର୍ଘ ସମୟଧରି ଧମକଚମକ ଦେବାପରେ ଉକ୍ତ ଗାଁର ପୀଡ଼ିତା(୧୬)ଙ୍କ ସହ ଅନ୍ୟ ଦୁଇ ଜଣ ନାବାଳିକାକୁ ନେଇଯାଇଥିଲା। ଉକ୍ତ ରାତିରେ ଅଭିଯୁକ୍ତ ଦୁଇ ନାବାଳିକାଙ୍କୁ ସ୍ଥାନୀୟ କୁରାଢ଼ିନାଲା ପାଖରେ ଛାଡ଼ି ପୀଡ଼ିତାଙ୍କୁ ବାଜେନିଆ(ଉଞ୍ଚିବାଲି)ର ଏକ ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ସେ ପୀଡ଼ିତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା।