ନଈ ଭିତରେ କୁମ୍ଭୀର ସହ ଲଢ଼େଇ, ମରଣମୁହଁରୁ ବର୍ତ୍ତି ଆସିଲା ନାବାଳକ

ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ପଟ୍ଟାମୁଣ୍ଡାଇ : ନଈ ଭିତରେ କୁମ୍ଭୀର ସହ ଜଣେ ନାବାଳକର ଲଢ଼େଇ! ପ୍ରାୟ ୧୫ ମିନିଟ୍‌ ଧରି ଏହି ଲଢ଼େଇ ଚାଲିଥିଲା। ଏହି ଲଢ଼େଇର ଶେଷ ପରିଣତି କ’ଣ ହେବ, ଯେ କେହି ବି ପୂର୍ବରୁ ଅନୁମାନ କରିଦେଇ ପାରିବେ। ମାତ୍ର, ସାହସର ସହ ଲଢ଼ିଥିଲେ ଏହି ନାବାଳକ। କେବଳ କୁମ୍ଭୀରକୁ ପରାସ୍ତ କରିନାହାନ୍ତି, ମୃତ୍ୟୁ ମୁଖରୁ ବି ବଞ୍ଚି ଯାଇଛନ୍ତି। ହେଲେ, କୁମ୍ଭୀର ସହ ଲଢ଼େଇରେ ତାଙ୍କ ଦୁଇ ଗୋଡ, ହାତ ଓ ପିଠିରେ ଆଘାତ ଲାଗିଛି। ଗୁରୁତର ଭାବେ ଆହତ ହୋଇଥିବାରୁ ପ୍ରଥମେ କେନ୍ଦ୍ରାପଡ଼ା ଏବଂ ପରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏହି ନାବାଳକ ହେଉଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ବଲୁରିଆ ପଂଚାୟତର ଆରାଜି ଗ୍ରାମର ମନୋଜ ସାହୁଙ୍କ ପୁଅ ଓମ୍‌ପ୍ରକାଶ। ଓମ୍‌ପ୍ରକାଶ (୧୫ବର୍ଷ)। ଓମ୍‌ପ୍ରକାଶ ବଲୁରିଆ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର। ସୋମବାର ଅପରାହ୍ନରେ ଓମ୍‌ ତାଙ୍କର ସାଙ୍ଗମାନଙ୍କ ସହ କାଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଅରାଜି ଗ୍ରାମର ୧ ନମ୍ବର ୱାର୍ଡ ନିକଟରେ ଥିବା ନଦୀ ତୁଠରେ ପାଣିର ଗଭୀରତା ୪ ରୁ ୫ ଫୁଟ ଥିଲା। ଓମ୍‌ଙ୍କ ସାଙ୍ଗମାନେ ଉପରେ ଥିବାବେଳେ ସେ ନଦୀ ଭିତରକୁ ପଶି ଯାଇଥିଲେ। ପୂର୍ବରୁ ପାଣି ଭିତରେ ଥିବା ୧୦ ଫୁଟରୁ ଅଧିକ ଲମ୍ବର ଏକ ବଉଳା କୁମ୍ଭୀର ହଠାତ୍‌ ତାଙ୍କ ଉପରକୁ ଝପ୍‌ଟି ଆସିଥିଲା। ତାଙ୍କର ଗୋଡ଼କୁ କାମୁଡ଼ି ଧରିଥିଲା। ଅନ୍ୟ ଏକ ଗୋଡ଼ରେ ଓମ୍‌ କୁମ୍ଭୀର ମୁହଁକୁ ଶକ୍ତ ଗୋଇଠା ଦେବାରୁ ସେ କାମୁଡ଼ିଥିବା ଗୋଡ଼କୁ ଛାଡି ଦେଇଥିଲା। କିନ୍ତୁ, କୁମ୍ଭୀର ପୁଣି ଓମ୍‌ଙ୍କୁ କାମୁଡ଼ିବାକୁ ଉଦ୍ୟମ କରିଚାଲିଥିଲା। ସାହସର ସହ ଓମ୍‌ କୁମ୍ଭୀରକୁ ସାମ୍ନା କରିବା ସହ ପାଣି ଭିତରେ ଲଢ଼େଇ କରିଥିଲେ। ଉପରେ ଥିବା ଓମ୍‌ଙ୍କ ସାଙ୍ଗମାନେ ପାଟି କରି ଲୋକଙ୍କୁ ଡାକ ପକାଇଥିଲେ। ଏଭଳି ସ୍ଥିତିରେ ଓମ୍‌ଙ୍କୁ ଛାଡ଼ି କୁମ୍ଭୀର ସେଠାରୁ ପଳାଇ ଯାଇଥିଲା। ଉପରେ ଥିବା ପିଲାମାନେ ଗାମୁଛା ସାହାଯ୍ୟରେ ଆହତ ଓମ୍‌ଙ୍କୁ ଉପରକୁ ଟାଣି ଟାଣି ଆଣିଥିଲେ। କୂଳକୁ ଆସିବାପରେ ଓମ୍‌ ଅଚେତ ହୋଇ ପଡ଼ିଯାଇଥିଲେ।

ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଓମ୍‌ଙ୍କୁ ମେଡିକାଲ ନେଇଥିଲେ। ସେ ଏବେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଗଲା କିଛିମାସ ହେବ କୁମ୍ଭୀର ଉପଦ୍ରବ ବଢିବାର ଲାଗିଛି। ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିବାରୁ ଏହି ବ୍ଲକ୍‌ ଅଞ୍ଚଳର ଲୋକମାନେ ନଦୀକୁ ଯିବାକୁ ଭୟ କରୁଛନ୍ତି। ଜଙ୍ଗଲ ବିଭାଗ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଯାହାଫଳରେ ଲୋକମାନେ ନଦୀ ମଧ୍ୟକୁ ଗାଧୋଇବାକୁ ଯିବାକୁ ଭୟ କରୁଛଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର