କରୋନା କାଳରେ ବି ଅମାନୁଷିକ କାର୍ଯ୍ୟ! ପାଞ୍ଚଦିନ ଧରି ଦୁଷ୍କର୍ମ ପରେ ନାବାଳିକା ଗୁରୁତର

ପୁଲିସ ଏତଲା ନ ରଖି ଫେରାଇ ଦେଇଥିଲା

କୁଳିଅଣା : ସରକାର ବେଟି ବଚାଅ, ବେଟି ପଢ଼ାଅ ନାରା ଦେଉଥିବାବେଳେ ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବାଳିକା ଓ ମହିଳାଙ୍କ ସୁରକ୍ଷା ବିପନ୍ନ। ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷ ବୟସର ନାବାଳିକାଙ୍କୁ ପାଞ୍ଚଦିନ ଧରି ଦୁଷ୍କର୍ମ କରାଯିବା ଏହାର ସଦ୍ୟତମ ଉଦାହରଣ। ଏଭଳି ଅମାନୁଷିକ ଘଟଣା ଜିଲ୍ଲାବ୍ୟାପୀ ଖାଲି ଆଲୋଡ଼ନ ସୃଷ୍ଟି କରିନି, ପୁଲିସର ସଂବେଦନଶୀଳତା ଓ କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ ଏପ୍ରିଲ୍ ୨୫ ତାରିଖ ରାତିରେ ଝିଅଟି ହଠାତ୍‌ ଘରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ପରିବାର ଲୋକେ ଗାଁ ସାରା ଖୋଜି ନିରାଶ ହେବା ପରେ ଥାନାକୁ ଯାଇ ଝିଅ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଏତଲା ରଖିବ କ’ଣ, କଥାକୁ ଅତି ହାଲୁକା ଭାବେ ନେଇଥିଲା। ପରିବାରର ମାନସମ୍ମାନ କଥା କହି ଖୋଜାଖୋଜି କର, ଝିଅ ମିଳିଯିବ ବୋଲି କହି ସେମାନଙ୍କୁ ଥାନାରୁ ବିଦା କରି ଦେଇଥିଲା। ପୁଲିସଠାରୁ ଏଭଳି କଥା ଶୁଣିବା ପରେ ମୁଣ୍ଡକାନ ଆଉଁସି ପରିବାର ଲୋକ ଘରକୁ ଫେରିବା ସହ ନିଜ ଉଦ୍ୟମରେ ନିଖୋଜ ଝିଅକୁ ଠାବ କରିବାକୁ ଚେଷ୍ଟା ଚଳାଇଥିଲେ।

୨୯ ତାରିଖ ସକାଳେ ଗାଁ ନିକଟସ୍ଥ ଏକ ପାଣି ଟାଙ୍କି ଉପରେ ଝିଅଟି ନିବସ୍ତ୍ର ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ପରିବାର ଲୋକେ ଉଦ୍ଧାର କରି ଘରକୁ ଆଣିବା ପରେ ନାବାଳିକା ଜଣକ ତାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ରଙ୍ଗାମାଟିଆ ଅଞ୍ଚଳର ବାହାଦୂର ଚାପିଆର (୨୦) ପାଞ୍ଚଦିନ ଧରି ତାଙ୍କୁ ଘରେ ରଖି ଦୁଷ୍କର୍ମ କରିଥିଲା। ଏ ନେଇ ପରିବାର ଲୋକ ପୁଣି ସେହିଦିନ ଥାନାରେ ପହଞ୍ଚି ଝିଅକୁ ଦୁଷ୍କର୍ମ ହୋଇଥିବା ଲିଖିତ ଅଭିଯୋଗ କରିଥିଲେ। ତେବେ ଆରମ୍ଭରୁ ଏହି ମାମଲାରେ ଆଦୌ ମୁଣ୍ଡ ଖେଳାଇ ନ ଥିବା ଏବଂ ପରିବାରର ମାନସମ୍ମାନ କଥା କହି ଅଭିଯୋଗକୁ ଫେରାଇ ଦେଇଥିବା ବାଙ୍ଗିରିପୋଷି ଥାନା ପୁଲିସ ହଠାତ୍ ଏହି ଘଟଣାରେ ସକ୍ରିୟତା ଦେଖାଇଥିଲା। ଏହି ଘଟଣାରେ ଜଣକୁ ଗିରଫ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୀଡ଼ିତାର ସ୍ବାସ୍ଥ୍ୟାବସ୍ଥା ଗୁୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର