ଜୁଭେନାଇଲ ଜଷ୍ଟିସ୍ କମିଟିର କଡ଼ା ଚିଠି : ଶିଶୁଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦିଅ

ସିଡବ୍ଲୁସିର ଅନଧିକାର ପ୍ରବେଶକୁ ନାପସନ୍ଦ

ଭୁବନେଶ୍ୱର : ଅନେକ ସମୟରେ ଶିଶୁ ମଙ୍ଗଳ ସମିତି(ସିଡବ୍ଲୁସି) ଆଇନର ଊର୍ଦ୍ଧ୍ବକୁ ଯାଇ ଜିଲ୍ଲା ଜଜ୍‌, ଫ୍ୟାମିଲି କୋର୍ଟ, ପୁଲିସର କ୍ଷମତା ପରିସରକୁ ଅନଧିକାର ପ୍ରବେଶ କରୁଛି। ଏଭଳି ଅନୁଭବ କରି ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟି ( କିଶୋର ନ୍ୟାୟ ସମିତି) ଓ ପୋକ୍ସୋ କମିଟି ରାଜ୍ୟର ସମସ୍ତ ସିଡବ୍ଲୁସିକୁ କଡ଼ା ଚିଠି ଲେଖି କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିବାକୁ କହିଛନ୍ତି। ତା’ ସହିତ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ କଥା‌ ବିଚାରକୁ ନେଲା ବେଳେ ସୁପ୍ରିମକୋର୍ଟଙ୍କ ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଆଦେଶ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କମିଟିର ନିର୍ଦ୍ଦେଶ ଅନୁଯାୟୀ ଶିଶୁକୁ ଥଇଥାନ କରିବା ପୂର୍ବରୁ ତାକୁ ପ୍ରଥମେ ପରିବାରରେ ରହିବା ପାଇଁ ସିଡବ୍ଲୁସି ଯଥା ସମ୍ଭବ ଉଦ୍ୟମ କରିବା ଆବଶ୍ୟକ। ଏଥିପାଇଁ ପରିବାରବର୍ଗଙ୍କୁ ବୁଝାଇବା ପାଇଁ ସିଡବ୍ଲୁସି ଯତ୍‌ପରନାସ୍ତି ଉଦ୍ୟମ କରିବ। ଶିଶୁ ଯତ୍ନ ଅନୁଷ୍ଠାନକୁ ଯେଉଁ ଆର୍ଥିକ ସାହାଯ୍ୟ ଦିଆଯାଉଛି, ସେହି ସାହାଯ୍ୟ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ସମ୍ପୃକ୍ତ ପରିବାରକୁ ଯେପରି ଅଗ୍ରାଧିକାର ଭିତ୍ତିରେ ଦିଆ ଯାଇ ପାରିବ ସେ ଦିଗରେ ଗୁରୁତ୍ବ ଦିଆଯିବ।

ସମସ୍ତ ଚେଷ୍ଟା ସତ୍ତ୍ବ‌େ ଏହା ଯଦି ସମ୍ଭବ ନ ହୁଏ ତେବେ ସମ୍ପୃକ୍ତ ଶିଶୁ ତାର ନିକଟ ସମ୍ପର୍କୀୟଙ୍କ ପାଖରେ ରହିବ। ଏହା ଯଦି ସମ୍ଭବ ନ ହୁଏ ତେବେ ସେହି ଗ୍ରାମ ବା ଅଞ୍ଚଳର କୌଣସି ପରିବାରରେ ସମ୍ପୃକ୍ତ ଶିଶୁକୁ ରଖିବା ବ୍ୟବସ୍ଥା କରିବେ। ଏଭଳି ଉଦ୍ୟମ ହେବା ଜରୁରି, ଯେପରି ଶିଶୁଟି ସେଠାରେ ନିଜକୁ ପରିବାରରେ ରହିବା ଭଳି ଅନୁଭବ କରିବ। ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକୁ ଏଭଳି ପରିଚାଳନା କରିବା ଜରୁରି, ଯେଭଳି ଅନ୍ତେବାସୀମାନେ ପଡ଼ୋଶୀ ଘର ପିଲାଙ୍କ ସହ ଖେଳିପାରିବେ ବା ମିଳାମିଶା କରିପାରିବେ। ଯାହା ଫଳ‌ରେ ଶିଶୁମାନେ କୌଣସି ଅନୁଷ୍ଠାନରେ ନୁହେଁ, ଏକ ସାଧାରଣ ଜୀବନ ବିତାଉଛନ୍ତି ବୋଲି ଅନୁଭବ କରି ପାରିବେ।

ଶିଶୁ ଯତ୍ନ ଅନୁ‌ଷ୍ଠାନରେ ରହୁଥିବା ଅନ୍ତେବାସୀମାନେ ୧୮ ବର୍ଷ ପୂରିବା ପରେ ସେଠାରେ ଆଉ ରହିବା ନିୟମ ନାହିଁ ବା ସମ୍ଭବ ହୁଏ ନାହିଁ। କିନ୍ତୁ ୧୮ ବର୍ଷ ପରେ ସେମାନଙ୍କ କେବଳ ଶିକ୍ଷା ନୁହେଁ, ବରଂ ରହିବା ବ୍ୟବସ୍ଥା ସହ ସେମାନେ ଯେଭଳି ଚାକିରି ପାଇ ବା ଆତ୍ମନିର୍ଭରଶୀଳ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ପାରିବେ ସେଭଳି ଉଦ୍ୟମ ହେବା ଜରୁରି ବୋଲି ଚିଠିରେ ନିର୍ଦ୍ଦେଶ ରହିଛି।

ଏ ସବୁ ପୂର୍ବରୁ ‌ଜୁଭେନାଇଲ ଜଷ୍ଟିସ୍ ଆଇନ୍‌ରେ ବ୍ୟବସ୍ଥା ରହିଛି। ହେଲେ ଅନେକ ସିଡବ୍ଲୁସି ଏପରି କୌଣସି ଉଦ୍ୟମ ନ କରି ଯତ୍ନ ଓ ସୁରକ୍ଷା ଚାହୁଥିବା ଶିଶୁକୁ ଯଥା ଶୀଘ୍ର ଶିଶୁ ଯତ୍ନ ଅନୁଷ୍ଠାନରେ ଭର୍ତ୍ତି କରି ଦେଉଥିବା ଅଭିଯୋଗ ହେଉଛି। ଫଳରେ ଶିଶୁଟି ପରିବାରଠାରୁ ଦୂରରେ ରହି ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛି। ତା’ର ଭବିଷ୍ୟତ ଜୀବନ ମଧ୍ୟ ପ୍ରଭାବିତ ହେଉଥିବା ଆଇନଜୀବୀ ଦେବାଶିଷ ଦାସ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର