ନାବାଳିକା ଅପହରଣ, ଦୁଷ୍କର୍ମ ହତ୍ୟା ପ୍ରସଙ୍ଗ: ୨୧ରେ ଏସ୍‌ପି ଅଫିସ୍‌ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ବର: ରାଜ୍ୟରେ ନାବାଳିକା ଅପହରଣ, ଦୁଷ୍କର୍ମ, ହତ୍ୟା, ନାରୀ ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ିଚାଲିଛି। ଏହା ବିରୋଧରେ ଆସନ୍ତା ୨୧ ତାରିଖ ସୋମବାର ଦିନ କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲା ଏସ୍‌ପି ଅଫିସ ଆଗରେ ପ୍ରତିବାଦ କରାଯିବ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସେହିଦିନ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ଦିନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରିବେ। ଏହି ବିକ୍ଷୋଭ ସମାବେଶକୁ ଜନସାଧାରଣ ସମର୍ଥନ ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି, ଏବେ ରାଜ୍ୟରେ ଦିନକୁ ପ୍ରାୟ ୧୧ଜଣ ଶିଶୁ ନିଖୋଜ ହେଉଛନ୍ତି। ବର୍ଷକୁ ପ୍ରାୟ ୪ ହଜାର ୩୧୫ ଜଣ ଶିଶୁଙ୍କର ଅପହରଣ ହେଉଛି। ସରକାରୀ ସୁତ୍ର ଅନୁଯାୟୀ ୨୦୧୬ ସେପ୍ଟେମ୍ବରଠାରୁ ଆଜିଯାଏ ରାଜ୍ୟରେ ପ୍ରାୟ ୭ ହଜାର ନାବାଳକ ଓ ନାବାଳିକା ନିଖୋଜ ଅଛନ୍ତି। ସେମାନଙ୍କ ଭିତରୁ ପ୍ରାୟ ୫ ହଜାର ୫୦ ହେଉଛନ୍ତି କେବଳ ନାବାଳିକା। ସେହିପରି ଘରୋଇ ହିଂସା, ମହିଳା ନିର୍ଯ୍ୟାତନାରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ଭାବେ ଉଭା ହୋଇଛି। ଯାହାକୁ ନେଇ ପରିବାର ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ପାଲଟିଛି। ପରୀ, ସ୍ବାତୀ, ପିହୁ, ଆୟୁଷ ପରି କୁନିକୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ହତ୍ୟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୀର୍ଘ ୨୧ ବର୍ଷରୁ ଉର୍ଦ୍ଧ୍ବ ବିଜେଡି ସରକାର କ୍ଷମତାରେ ରହି ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ବରେ ଥାଇ ମୌନବ୍ରତ ଅବଲମ୍ବନ କରିବା ଫଳରେ ନିରୀହ, ନିଷ୍ପାପ ଶିଶୁମାନେ ଯୌନପିପାସୁ ଓ ଅପହରଣକାରୀଙ୍କ ଶିକାର ହୋଇଚାଲିଛନ୍ତି। ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି ପୁଲିସର ଅତ୍ୟନ୍ତ ମନ୍ଥର ତଦନ୍ତ ଯୋଗୁ ଜନସାଧାରଣଙ୍କ ଭରସା ତୁଟି ଯାଉଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାପାଳମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ମଧ୍ୟ ପରିଲକ୍ଷିତ ହେଉନାହିଁ। ଫଳରେ ଆଇନଶୃଙ୍ଖଳା ପରିସିତି ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ପୁଲିସର ଏପରି ନିଷ୍କ୍ରିୟତା ପ୍ରତିବାଦରେ କଂଗ୍ରେସ ଧାରଣା ଦେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ କଂଗ୍ରେସ କମିଟି ଦଳର ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି ପର୍ଯ୍ୟବେକ୍ଷକ, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠ ମୁଖ୍ୟ, କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତାମାନଙ୍କୁ ଯୋଗଦେବା ପାଇଁ ଅବଗତ କରାଇବାକୁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର