ବ୍ରହ୍ମପୁର : ଗୁଜରାତର ସୁରତ ସହରରେ ଗଞ୍ଜାମ ଜିଲ୍ଲାର ଜନୈକା ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାରଣା କରି ୨ମାସ ମଧ୍ୟରେ କୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ସୁରତ ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ୟୁ.ଏମ୍ ଭଟ୍ଟ ମାମଲାର ବିଚାରଣା କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଉଛି ମୁକେଶଭାଇ ଓରଫ୍ ମୁକୁ ଚିମନଲାଲ୍ ପଞ୍ଚାଲ୍(୪୨)। ଏହା ସହିତ ମୃତ ନାବାଳିକାଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ୨୩ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାରଣା ବେଳେ ମୋଟ ୪୬ ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା।
ଦୁଇ ମାସରେ ବିଚାରଣା ଓ ରାୟ, ୪୬ ସାକ୍ଷୀଙ୍କ ବୟାନ ରେକର୍ଡ
ପୀଡ଼ିତାଙ୍କ ପରିବାରକୁ ୨୩.୫୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପଟାଧର ଗ୍ରାମର ଶିବପ୍ରସାଦ ସ୍ବାଇଁ ସପରିବାର ନେଇ ସୁରତ କତାରଗାଁ ବେଡ୍ରୋଡ଼ ସ୍ଥିତ ତିରୁପତି ସୋସାଇଟିରେ ରହୁଥିଲେ। ଏକ ଭଡ଼ାଘରେ ବାପା, ମା ଓ ୪ଝିଅ ରହୁଥିଲେ। ତେବେ ୨୦୨୨ ଡିସେମ୍ବର ୭ତାରିଖ ମଧ୍ୟାହ୍ନରେ ୭ବର୍ଷର ସାନଝିଅ ସ୍ବପ୍ନା ସ୍ବାଇଁ କୁଆଡ଼େ ନିଖୋଜ ହୋଇ ଯାଇଥିଲା। ଏ ନେଇ ପରିବାର ବର୍ଗ ଚୌକ୍ ବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୮ତାରିଖ ଦିନ ପୁଲିସ ସନ୍ଦେହରେ ବନ୍ଦ ରହିଥିବା ପଡ଼ୋଶୀ ମୁକେଶର ଘର ତାଲା ଭାଙ୍ଗି ଯାଞ୍ଚ କରିଥିଲା। ଯାଞ୍ଚ ପରେ ଏକ କୋଠରିରୁ ଦିୱାନ୍ ଖଟ ଭିତରେ ଅଖା ବସ୍ତାରେ ବନ୍ଧାହୋଇ ଥିବା ଝିଅର ମୃତଦେହ ଜବତ କରିଥିଲା। ସେହିଦିନ ରାତିରେ ସୁରତ କ୍ରାଇମ୍ବ୍ରାଞ୍ଚ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ମୁକେଶକୁ ଗିରଫ କରିଥିଲା। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମୁକେଶକୁ ଜେରା କରିବା ପରେ ସେ ପୂରା ଘଟଣା କହିଥିଲା। ଚକଲେଟ୍ ଦେବାକୁ କହି ଅଭିଯୁକ୍ତ ମୁକେଶ ନାବାଳିକାକୁ ତାର ଘରକୁ ନେଇ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ତଦନ୍ତରେ ଜଣାପଡ଼ିଥିଲା। ହତ୍ୟା ପରେ ମୁକେଶ ଶବକୁ ଏକ ନାଳରେ ଫୋପାଡ଼ିବା ପାଇଁ ବସ୍ତାରେ ଭର୍ତ୍ତି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁରତ କ୍ରାଇମ୍ବ୍ରାଞ୍ଚ ଅଭିଯୁକ୍ତ ମୁକେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୁରତ ଏଡିଜେ-୪ ତଥା ଫାଷ୍ଟ୍ଟ୍ରାକ୍ କୋର୍ଟରେ ମାମଲାର ବିଚାରଣା ଆରମ୍ଭ ହୋଇଥିଲା। ମାତ୍ର ୨ମାସରେ ବିଚାରଣା ସମାପ୍ତ ହୋଇ କୋର୍ଟ ତାଙ୍କର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ନୟନ ସୁଖଡ଼ୱାଲା ମକଦ୍ଦମା ପରିଚାଳନା କରିଥିଲେ।