ନୟାଗଡ଼/ଦଶପଲ୍ଲା: ଦଶପଲ୍ଲା ଥାନା ଅଞ୍ଚଳ‌ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ, ଅପହରଣ ମାମଲାର ଦଣ୍ଡାଦେଶ ଆଜି ନୟାଗଡ଼ ପକ୍ସୋ କୋର୍ଟ ପ୍ରଦାନ କରିଛନ୍ତି। ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦଶପଲ୍ଲା ଅଞ୍ଚଳର ଅଜୟ କୁମାର ନାୟକକୁ ପକ୍ସୋ ଆଇନ ଧାରା-୬ ରେ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସମେତ ୧୨ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଦୋଷୀକୁ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ। ବିଚାରପତି ମାନସ କୁମାର ପଣ୍ଡା ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ଦାଶରଥୀ ସାହୁଙ୍କ ସୂଚନା ମୁତାବକ, ୨୦୨୧ ନଭେମ୍ବରରେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିଲେ।

Advertisment

ପୀଡ଼ିତା ପଡ଼ିଶା ଘରକୁ ଟିଭି ଦେଖିବା ନିମନ୍ତେ ଯାଉଥିବା ବେଳେ ଦୋଷୀ ଅଜୟ ଓ ତା’ର ଦୁଇ ସାଙ୍ଗ ପୀଡ଼ିତାଙ୍କୁ ଅପହରଣ କରିନେଇଥିଲେ। ଦଶପଲ୍ଲାର ବିଭିନ୍ନ ଅଞ୍ଚଳରେ ଏକମାସରୁ ଅଧିକ ଦିନ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୀଡ଼ିତାଙ୍କ ଭାଇ ତାଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ପୀଡ଼ିତା ଦଶପଲ୍ଲା ଥାନାରେ ଏତଲା ଦେଇଥିଲେ। ୨୪ ଜଣ ସାକ୍ଷୀଙ୍କ ବୟାନ, ପୁଲିସର ତଦନ୍ତ ରିପୋର୍ଟ, ସରକାରୀ ଓକିଲଙ୍କ ଯୁକ୍ତିକୁ ଆଧାର କରି କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।