କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦାଲତ ବିଚାରପତି ଅଶୋକ କୁମାର ପହି କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ଗ୍ରାମର ରାଜେଶ ମଲ୍ଲିକ(୨୩)କୁ ୨୦ ବର୍ଷ ଜେଲ ଓ ୨୧ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ଆଇପିସିର ଦଫା ୩୬୩, ୩୬୬, ୫୦୬ ଓ ପୋକସୋ ଆଇନର ଧାରା ୬ରେ ରାଜେଶକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜରିମାନା ଟଙ୍କ‌ା ଅନାଦାୟ ଆସାମୀକୁ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ହେବ। ଏଥି ସହିତ ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦ ଅଗଷ୍ଟ ୬ରେ ପୀଡିତା ନାବାଳିକାଙ୍କ ମା’ ସାଲେପୁର ଥାନାରେ ଏତଲା ଦେଇଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ୮ ଦିନ ତଳେ ୧୭ ବର୍ଷୀୟା ପୀଡ଼ିତା ଦୁଇ ଝିଅ ସାଙ୍ଗଙ୍କ ସହିତ କେଉଁଆଡ଼େ ଚାଲି ଯାଇଥିଲେ। ଦିନକ ପରେ ପୀଡିତା ଫୋନ ମାଧ୍ୟମରେ କହିଥିଲେ ଯେ ସେମାନେ ତିନି ଜଣ କଟକର ଏକ କମ୍ପାନିରେ ଚାକିରି ପାଇଛନ୍ତି ଓ ଦରମା ମିଳିବା ପରେ ଘରକୁ ଫେରିବେ। କିନ୍ତୁ ୨୦୨୦, ଅଗଷ୍ଟ ୫ରେ ପୀଡିତାଙ୍କ ଦୁଇ ସାଙ୍ଗ ସେମାନଙ୍କ ଘରକୁ ଫେରି ଆସିଥିଲେ। ସେମାନେ ପୀଡ଼ିତାଙ୍କ ବିଷୟରେ କିଛି ଜାଣି ନଥିବା କହିଥିଲେ। ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ରାଜେଶକୁ ୨୦୨୦ ନଭେମ୍ବର ୩୦ରେ ଗିରଫ କରିଥିଲା। ୨୦୨୦ ଜୁଲାଇ ୩୦ରେ ସାଲେପୁର ଥାନା ଅଞ୍ଚଳରୁ ପୀଡ଼ିତାଙ୍କୁ ଅପହରଣ କରି ରାଜେଶ ବିବାହ କରିବାକୁ କହିବା ସହିତ ଧମକ ଚମକ ଦେଇ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ମାମଲାର ତଦନ୍ତ କରି ସାଲେପୁର ପୁଲିସ ରାଜେଶ ବିରୋଧରେ ୨୦୨୧ ମାର୍ଚ୍ଚ ୧ରେ ଚାର୍ଜସିଟ ଦାଖଲ କରିଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ଏତଲାକାରୀ, ପୀଡ଼ିତା, ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଥିବା ଡାକ୍ତର, ତଦନ୍ତକାରୀ ଅଧିକାରୀଙ୍କ ସମେତ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।