ରାଉରକେଲା: ରାଉରକେଲାର ନାବାଳକ ଛାତ୍ରଙ୍କ ହାତରେ ବନ୍ଧୁକ ଦେଖିବାକୁ ମିଳିଛି। ଏମାନେ ବନ୍ଧୁକ ସହ ଫଟୋ, ଭିଡିଓ ଉତ୍ତୋଳନ କରୁଥିବାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଏମାନେ ଲୁକ୍କାୟିତଭାବେ ବନ୍ଧୁକ ଧରି ବୁଲୁନାହାନ୍ତି, ବରଂ ଖୋଲାଖୋଲି ବିମାନବନ୍ଦର ସମ୍ମୁଖରେ ବନ୍ଧୁକଧରି ନୃତ୍ୟ କରିବାକୁ ପଛାଉନାହାନ୍ତି। ପ୍ରକାଶଥାଉକି, ଗତ ୧୩ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସହରର ଏକ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍କୁଲ୍ର କାର୍ଯ୍ୟକ୍ରମ ଶେଷ ହେବାପରେ ପ୍ରାୟ ୧୦/୧୫ ଜଣ ଛାତ୍ର ନାମୀଦାମୀ କାର୍ରେ ରିଂ ରୋଡ୍ ସାରା ବୁଲିଥିଲେ। ମ୍ୟୁଜିକ୍ ସିଷ୍ଟମ୍ରେ ମାତ୍ରାଧିକ ସାଉଣ୍ଡ ଦେଇ ସହର ସାରା ବୁଲିବା, ରାସ୍ତା ମଝିରେ ଗାଡ଼ିରଖି ଟ୍ରାଫିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଥିଲେ। ପରେ ବିମାନବନ୍ଦରର ଠିକ୍ ସାମ୍ନାରେ ଗାଡ଼ି ରଖି ରାସ୍ତା ଉପରେ ଗୀତଲଗାଇ ନୃତ୍ୟ କରିଥିଲେ।
କିଏ ହାତରେ ବନ୍ଧୁକ ଧରି ନାଚିଥିଲା ତ କିଏ ପୁଣି ସିଗାରେଟ୍ ଟାଣି ନାଚିଥିଲେ। ଏମିତିକି ଭିଡିଓକୁ ‘ଇନ୍ଷ୍ଟାଗ୍ରାମ୍’ରେ ଅପଲୋଡ୍ କରିବାକୁ ମଧ୍ୟ ପଛାଇନଥିଲେ। ଉକ୍ତ ଅନୁଷ୍ଠାନର କିଛି ଛାତ୍ର ଇନ୍ଷ୍ଟାଗ୍ରାମ୍ରେ ଏକ ଆକାଉଣ୍ଟ୍ ଖୋଲି ସେଥିରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ବିରୋଧରେ ଅଶ୍ଲୀଳ କମେଣ୍ଟ୍ ମଧ୍ୟ କରୁଛନ୍ତି। ଏମିତିକି ଅଧ୍ୟକ୍ଷଙ୍କ ଫଟୋଗୁଡ଼ିକୁ ଯୋଡ଼ି ଭିଡିଓ ତିଆରି କରି ବିଦ୍ରୁପ କରୁଛନ୍ତି। କିଛି ଛଦ୍ମ ନାମଧାରୀ ଛାତ୍ର ଅଶାଳୀନ କମେଣ୍ଟ୍ କରିଥିବା ଦେଖିବାକୁ ମିଳିଛି। ବିମାନବନ୍ଦର ଭଳି ସମ୍ବେଦନଶୀଳ ସ୍ଥାନରେ ବନ୍ଧୁକଧରି ନୃତ୍ୟଗୀତ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।