ନାବାଳକକୁ ଅପହରଣ କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ବିଂଝାରପୁର : ବିଂଝାରପୁର ଥାନା ତଥା ବରୀ ବ୍ଲକ ମଧୁସୂଦନପୁର ଗ୍ରାମର ଜନୈକ ୧୩ ବର୍ଷର ନାବାଳକକୁ ଆଜି ପୂର୍ବାହ୍ଣରେ କେହି ଦୁର୍ବୃତ୍ତ ଅପହରଣ କରିନେଇ ବିଜିପୁର ନିକଟରେ ଫୋପାଡି ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ନିକୁଞ୍ଜ ନାରାୟଣ ଜେନାଙ୍କ ନାବାଳକ ପୁଅ ସିତାଂଶୁ ଜେନା ମାମୁଘର ମଧୁସୂଦନପୁର ଗ୍ରାମରେ ରହି ପାଠ ପଢୁଥିଲେ। ଆଜି ସେ ବଜାରକୁ ଯାଇଥିବା ବେଳେ ୪ଜଣ ଅଚିହ୍ନା ଲୋକ ମଝି ରାସ୍ତାରୁ ଅପହରଣ କରି ନେଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଅପରାହ୍ଣରେ ନାବାଳକର ମା’ ଗୀତାଞ୍ଜଳି ଜ‌େନା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ।

ତେବେ ଅପହର୍ତ୍ତାମାନେ ସିତାଂଶୁକୁ ଯାଜପୁର-ସିଂହପୁର ମୁଖ୍ୟ ରାସ୍ତା ବିଜିପୁର ନିକଟରେ ଫିଙ୍ଗିଦେଇ ପଳାଇଥିବା ଜଣାପଡ଼ିଥିଲା। ସ୍ଥାନୀୟ କିଛି ଗ୍ରାମବାସୀ ନାବାଳକକୁ ଉଦ୍ଧାରକରି ବିଂଝାରପୁର ପୁଲିସ ଜିମା ଦେଇଥିଲେ। ଏସଆଇ କଣ୍ଡୁରୀଚରଣ ଦାସ ନାବାଳକକୁ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାକରି ପରିବାର ଲୋକଙ୍କୁ ଜିମା ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର