ଜୟପୁର ବିମାନବନ୍ଦର: ରନୱେ ୩୦୦ମିଟର ବୃଦ୍ଧି ନିର୍ମାଣ କାମ ଜାରି

ଜୟପୁର: ସଂପ୍ରତି ଜୟପୁର ବିମାନବନ୍ଦରକୁ ୨ବି ଲାଇସେନସ୍ ପାଇବା ପାଇଁ ସମସ୍ତ ରକମର ଭିତ୍ତିଭୂମିର ପ୍ରସ୍ତୁତି ସରିବା ସହ ଏୟାରପୋର୍ଟ ଅଥରିଟି ନିକଟରେ ଲାଇସେନସ୍ ପାଇଁ ଆବେଦନ କରାଯାଇଛି। ଡିଜିସିଏ ଟିମ୍ ଆସି ଯାଞ୍ଚ କରବାର ବାକି ରହିଛି। ଡିଜିସିଏ ପକ୍ଷରୁ ବିମାନବନ୍ଦରର ଭୌଗଳିକ ସ୍ଥିତି, ଅନୁସଙ୍ଗିକ ଭିତ୍ତିଭୁମି ଆଦିର ସଂପୁର୍ଣ୍ଣ ବିବରଣୀ ମାଗିଥିବାରୁ ଏହାକୁ ବି ଦାଖଲ କରାସରିଛି। ଏହି ମାସର ୩ୟ କିମ୍ବା ୪ର୍ଥ ସପ୍ତାହରେ ଡିଜିସିଏ ଟିମ୍ ଆସି ଯାଂଚ କରିବାର ଯୋଜନା ରହିଛି।

ତେବେ ସେମାନେ ଆସି ତଦାରଖ କରିବା ପୂର୍ବରୁ ୨ବିରୁ ୨ସି ଲାଇସେନସ୍ ବୃଦ୍ଧି କରିବା ପାଇଁ ବି ଆବେଦନ ଦାଖଲ ପ୍ରକ୍ରିୟା ବି ଜାରି ରହିଥିବା କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ। ଅନ୍ୟପକ୍ଷରେ ଏଠାରୁ ବିମାନ ଚଳାଇବାକୁ ଥିବା ୱାନ ଇଣ୍ଡିଆ ଏୟାରଲାଇନର ୯ସିଟ ବିଶିଷ୍ଟ ବିମାନ ଅହମଦାବାଦରେ ପହଚିଂ ସାରିଥିବା ସୂଚନା ମିଳିଛି। ପୁଣି ୨ସି ରନୱେ କରାଯିବା ପାଇଁ ଉଭୟ ପାର୍ଶ୍ବରେ ୧୫୦ମିଟର ଲେଖାଏଁ ବୃଦ୍ଧି କରାଯିବାର କାମ ବି ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ଏହି ୩୦୦ମିଟର ରନୱେ ବଢ଼ିଲେ ୧୫୦୦ମିଟରର ରନୱେ ହେବ।

ତେବେ ଏହି ୨ବି ଓ ୨ସି ରନୱେରେ ବଡ ବିମାନ (ଅଧିକା ସିଟ୍ ) ଥିବା ବିମାନ ଓହ୍ଲାଇବା ମୁସ୍କିଲ। ତେଣୁ ୩ସି ରନୱେ ତିଆରି କରିବା ପାଇଁ ସଂପ୍ରତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟ ପକ୍ଷରୁ ଯୋଜନା କରାଯିବା ସହ ୨୩୨କୋଟି ଟଙ୍କା ଅନୁଦାନ ମିଳିଛି। ଏୟାରପୋର୍ଟର ଉପରଭାଗରେ ବାଙ୍କବିଜା ଗାଁ ରହିଥିବା ବେଳେ ତଳ ଭାଗରେ କେନାଲ ଓ ସୌରାଗୁଡା ଗାଁ ରହିଛି। ତେବେ କେନାଲରେ ଟନେଲ କରାଯିବା ସହ ଏପଟେ ପ୍ରାୟ ୩୦୦ମିଟର ବୃଦ୍ଧି କରାଯାଇଛି। ତଳ ପଟେ କେନାଲ ରହିଥିବାରୁ ଏପଟେ ରନୱେ ବୃଦ୍ଧି କରିବା ମୁସ୍କିଲ। ତେଣୁ ଏବେ ବାଙ୍କବିଜା ଗାଁ ପଟକୁ ହିଁ ରନୱେ ବୃଦ୍ଧି କରାଯିବାର ଯୋଜନା ରହିଥିବା କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳ ବେଦବର ପ୍ରଧାନ। ଏଥି ପାଇଁ ଜୟପୁରବ୍ଲକ ପକ୍ଷରୁ ବାଙ୍କବିଜା ଗାଁରେ ଗ୍ରାମସଭା କରାଯାଇଥିଲା।

ଜାତୀୟ ସ୍ବାର୍ଥ ରହିଥିବାରୁ କେହି ଆପତ୍ତି ଅଭିଯୋଗ କରିନଥିବା କହିଛନ୍ତି ବିଡିଓ ସୂରଜ ପଟ୍ଟନାୟକ। ଏହି ଗାଁକୁ ସଂପୁର୍ଣ୍ଣ ଖାଲି କରାଇବା ସହ ଗାଁରେ ବସବାସ କରି ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। କ୍ଷତିପୁରଣ ବାବଦରେ ସେମାନଙ୍କ ଇଛା ମୁତାବକ ଘର ନିର୍ମାଣ କରି ହସ୍ତାନ୍ତର କରାଯିବ। ତା ସହ ଯେଉଁ କିସମର ଜମି ସେମାନଙ୍କର ରହିଥିଲା ସେହି କିସମର ଜମି ବି ସରକାର କିଣିକି ଦେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଏହି ରନୱେ ବୃଦ୍ଧି ଓ ବାଙ୍କବିଜା ଗାଁ ଉଛେଦ ପରେ ଲୋକଙ୍କ ଜମି ଓଘର ପାଇଁ ୨୩୨କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟ ପକ୍ଷରୁ ଅନୁଦାନ ମିଳିଥିବା କହିଛନ୍ତି ଉପଜିଲ୍ଲାପାଳ। ୩ସି ରନୱେ ପାଇଁ ଆହୁରି ୩୦୦ମିଟର ଲମ୍ବା ସହ ସଂପୁର୍ଣ୍ଣ ୧୮୦୦ମିଟର ପର୍ଯ୍ୟନ୍ତ ଓସାର ବି ୩୦୦ମିଟରର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏହାରି ମଧ୍ୟରେ ୨ବି ଲାଇସେନସ୍ ମିଳିଲେ ୯ସିଟର ବିମାନ ଚଳାଚଳ ଆରମ୍ଭ ହେବ। ଏହା ଚଳାଚଳ ହେବା ମଧ୍ୟରେ ହିଁ ବିମାନବନ୍ଦରର ରନୱେ ବୃଦ୍ଧି କାମ ଜାରି ରହିବ ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ।

ସମ୍ବନ୍ଧିତ ଖବର