ଜୟପୁର: ଗତ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡକାରାଗାରକୁ ସ୍ବତନ୍ତ୍ର କାରାଗାର ମାନ୍ୟତା ପ୍ରଦାନ  କରାଯାଇଛି । ଜିଲ୍ଲାକାରାଗର ଭଳି ଏଠାରେ  ମଧ୍ୟ ଜଣେ ଅଧିକ୍ଷକ, ସହକାରୀ ଜେଲର , କଲ୍ୟାଣ ବିଭାଗ ଅଧିକାରୀ, ସାଂସ୍କୃତିକ ଅଧିକାରୀ, ଆଇନ ପରାମର୍ଶ ଅଧିକାରୀ,  ୨ ଜଣ ସବଆସିଷ୍ଟେଣ୍ଟ ଜେଲର,  ଜଣେ ମୁଖ୍ୟ ୱାର୍ଡର, ୩ଜଣ ହାବିଲଦାର, ୧୦ ଜଣ ୱାର୍ଡର, ୨ ଜଣ ମହିଳା ୱାର୍ଡର ଏବଂ ଅନ୍ୟାନ୍ୟ  ଜିଲ୍ଲା ସ୍ତରୀୟ ଜେଲର ଆବଶ୍ୟକ ପଦବୀ ଗୁଡିକ ନିଯୁକ୍ତି କରାଯିବାକୁ ବିଞପ୍ତିରେ ଦର୍ଶାଯାଇଛି । ତେବେ ସ୍ବତନ୍ତ୍ର କାରାଗାରର ମାନ୍ୟତା ପାଇବା ପରେ ସମ୍ମୁଖରେ ଲାଗିଥିବା ବୋର୍ଡରେ ନାଁ ପରିବର୍ତ୍ତନ ହୋଇଥିଲେ ହେଁ ନୂଆ ପଦବୀ କିଛି ନିଯୁକ୍ତି ହୋଇନି। ଯଥା ପୂର୍ବଂକୁତଥା ପରଂରେ ଚାଳିଛି କାରାଗାର।

Advertisment

ସେହିପରି ଅନ୍ତେବାସୀ ମାନଙ୍କୁ ମଧ୍ୟ ଜିଲ୍ଲାସ୍ତରୀୟ କାରାଗାରର ବ୍ୟବସ୍ଥା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ । ବିଚାରାଧୀନ କଏଦି ମାନଙ୍କୁ ଆତ୍ମ ନିର୍ଭରଶୀଳ ନିମନ୍ତେ ବିଭିନ୍ନ ଧନ୍ଦା ଓ ବୃତ୍ତିଗତ  କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦିଆଯିବା ଯେଉଁ ଯୋଜନା ରହିଛି ତାହା ଆରମ୍ଭ ହେବାର ୩ମାସ‌ ପରେ ବି କାର୍ଯ୍ୟକାରୀ ହୋଇନି। ଜୟପୁର ସ୍ବତନ୍ତ୍ର କାରଗାରରେ ପୁରୁଷ ମାନଙ୍କ ପାଇଁ ୧୧ ଟି ୱାର୍ଡ ଏବଂ ମହିଳା ପାଇଁ ୨ ୱାର୍ଡ ରହିଥିବା ବେଳେ  ୩୧୫ ଜଣ ପୁରୁଷ ଏବଂ ୫ ଜଣ ମହିଳା ଅନ୍ତେବାସୀ ରହିଛନ୍ତି । ଜଣେ ଅଧିକ୍ଷକ, ଜଣେ ସହକାରୀ ଜେଲର, ଜଣେ ହାବିଲଦାର, ୫ଜଣ ୱାର୍ଡର ରହିଥିବା ବ‌େଳେ ବଳକା ସବୁ ପଦବୀ ଖାଲି ପଡ଼ିଛି। ଏହି ସ୍ଥିତିରେ ମାନ୍ୟତା ଅନୁଯାୟୀ କେବେ ଏହି ସ୍ବତନ୍ତ୍ର କାରାଗାର କାର୍ଯ୍ୟକାରୀ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।