ଜୟପୁର: ୧୧୦ଦିନ ହେବ କାଗଜ କଳ ଖୋଲୁନି। କଂଚାମାଲ(କାଠ) ଅଭାବରୁ ଗତ ଜୁଲାଇ ୧୬ତାରିଖରୁ ମିଲ୍ ବନ୍ଦ ରହିଥିଲା। ଏହାରି ମଧ୍ୟରେ ‌ଭେଣ୍ଡରମାନେ ବକେୟା ଟଙ୍କା ପାଇବା ପରେ ୫ହଜାର ୫୦୦ମେଟ୍ରୀକ ଟନ୍ କାଠ ଯୋଗାଇ ସାରିଲେଣି। ସଂପ୍ରତି ମିଲରେ କଂଚାମାଲ(କାଠ), କୋଇଲା, କ୍ୟାମିକାଲ ସବୁ ଜମା ହୋଇ ରହିଛି। କାଗଜକଳର ୧ନଂ ଓ୨ନଂ ଶ୍ରମିକସଂଘ ୨ ଦଫା ଦାବି ଯଥା ୪ମାସର ଅଗ୍ରୀମ ଦରମା ଏକା ସହ , ୨୦୧୨-୧୫ରେ ହୋଇଥିବା ତ୍ରିପାକ୍ଷୀକ ଚୁକ୍ତିକୁ କାର୍ଯ୍ୟକାରୀ କରିବା ଦାବିକୁ ଲାଗି କରିବାକୁ ଜିଦ୍ ରେ ଅଟଳ ରହିଛନ୍ତି। ୩ ଓ୪ ନଂ ଶ୍ରମିକ ସଂଘ କାଗଜକଳ କର୍ତ୍ତୃପକ୍ଷ ଦେଇଥିବା ପ୍ରସ୍ତାବରେ ରାଜି ହେବା ସହ ଧିରେ ଧିରେ ଦେବାକୁ କହିବା ସହ ତୁରନ୍ତ କାଗଜକଳ ଆରମ୍ଭ କରିବାକୁ କହୁଛନ୍ତି। ଏହାରି ମଧ୍ୟରେ ୪ଟି ଯାକ ସଂଘ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଏ ପର୍ଯ୍ୟନ୍ତ ଏହି ବିବାଦ ମଧ୍ୟକୁ ଜିଲ୍ଲାପ୍ରଶାସନ ମୁଣ୍ଡ ପୁରାଇ ନାହିଁ । ଅପରପକ୍ଷରେ ଆଜି ପରିଚାଳନା କର୍ତ୍ତୃପକ୍ଷ ୧ ନଂ ଓ୨ନଂ ଶ୍ରମିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ପୁଣି ଆଲୋଚନା ବୈଠକ କରିଥିଲା।  ଏଥିରେ ଏହି ୨ଟି ସଂଘ ନିଜର ୨ଦଫା ଦାବିରେ ଅଟଳ ରହିଥିଲା। ପୂର୍ବରୁ କାଗଜକଳ ଜାରୀ କରିଥିବା ବିଞପ୍ତି ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଲୋଚନାରେ ଯାହା କାଗଜକଳ କର୍ତ୍ତୃପକ୍ଷ କହିଥିଲେ ତାହା ଆଜିର ବୈଠକରେ ବି ଉପସ୍ଥାପନ କରିଥିଲେ। ପରସ୍ପର ପରସ୍ପର ଜିଦ୍ ରେ ଅଟଳ ରହିବା ଫଳରେ ଆଜିର ବ‌ୈଠକବି ଫେଲ୍ ମାରିଥିଲା।

Advertisment

୨ଟି ଶ୍ରମିକ ସଂଘ ୨ଦଫା ଦାବି ଉଠାଇବା ପରେ ଏହାକୁ ସଠିକ ଭାବେ ସମାଧାନ କରି କାଗଜକଳ କିଭଳି ଚାଳିବ ତାହାକୁ ନେଇ କେହି ବି ସମନ୍ବୟ ରକ୍ଷା କରି ପାରିନାହାନ୍ତି। ଜିଲ୍ଲାପ୍ରଶାସନ ଏତେ ବଡ଼ ସମସ୍ୟାରେ ମୁଣ୍ଡ ପୁରାଇବା ବଦଳରେ ଦୂରତା ବଜାୟ ରଖୁଛି।  ୨ଟି ସଂଘର ୨ଜଣ ସଭାପତି ଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ବି ଏହି ସମସ୍ୟା ସହ ସଂପୃକ୍ତ ହୋଇଥିଲେ ହେଁ କାଗଜକଳ ପୁନଃ ଚଳାଇବାରେ ପେଲ୍ ମାରିଛନ୍ତି।  ସମନ୍ବୟ ଅଭାବ, ପତିଆରା ଏବଂ ଜିଦ୍ ଯୋଗୁଁ କାଗଜକଳ ପୁଣି କେବେ ଆରମ୍ଭ ତାହାର ଅନିଶ୍ଚିତତା ଦେଖାଦେଲାଣି।  ଅପରପକ୍ଷରେ କଂଚାମାଲ ଯୋଗାଇଥିବା ଭେଣ୍ଡରମାନେ ସେମାନଙ୍କ ବକେୟାକୁ ନେଇ ପୁଣି ଚିନ୍ତାରେ ପଡ଼ିଯାଇଛନ୍ତି। ମିଲ୍‌ ଚାଳୁନଥିବାରୁ ମିଲ୍ ଚାଳ‌ିଲେ ହିଁ ‌ବକେୟା ଦିଆଯିବ ବୋଲି ପରିଚାଳନା କର୍ତ୍ତୃପକ୍ଷ କହୁଥିବାରୁ ଏମ‌ାନେ ଏବେ ସେମାନଙ୍କ ବକେୟା ପୁଣି କେବେ ମିଳିବ ନା ନାହିଁ ସଂଦେହରେ ପଡ଼ିଛନ୍ତି। ଅପରପକ୍ଷରେ କର୍ତ୍ତୃପକ୍ଷ, ରାଜନୈତିକ ନେତା, ପ୍ରଶାସନ, ଶ୍ରମିକ ସଂଘର କର୍ମକର୍ତ୍ତା ଆଦିର ସମନ୍ବୟ, ପତିଆରା, ଜିଦ୍ ଯୋଗୁଁ ଦଶହରା ଓକୁମାରପୁର୍ଣ୍ଣିମାରେ କାଗଜକଳର ଶ୍ରମିକ ମାନେ ପାଉଥିବା ଅଗ୍ରୀମ ଦରମା ନ ପାଇ ଘରେ ଯେନତେନ ପ୍ରକାରରେ ପାଳନ କରିଥିଲେ। ଆଉ ସପ୍ତାହକ ପରେ ଦୀପାବଳୀ ରହିଥିବାରୁ ଦୀପାବଳୀବି ସେଭଳି ସୁଖିଲା ପାଳନ କରିବାକୁ ପଡ଼ିବ କି ବୋଲି ଶ୍ରମିକ ମାନେ ଚର୍ଚ୍ଚା ଆରମ୍ଭ କରିଛନ୍ତି।