ଜୟପୁର: କଞ୍ଚାମାଲ ଅଭାବରୁ ଗତ ଜୁଲାଇ ମାସରୁ ଉତ୍ପାଦନ ବନ୍ଦ ରହିଥିଲା କାଗଜକଳ। ସୋମବାର ସଂଧ୍ୟାରେ ବ୍ଲାଷ୍ଟପର୍ଣ୍ଣେସରେ ନିଆଁ ଲଗାଯାଇଥିବା ବେଳେ ମଙ୍ଗଳବାର ଠାରୁ ପେପରମିଲ୍ ଆରମ୍ଭ ହୋଇଛି। ଶ୍ରମବିଭାଗ-ଶ୍ରମିକ ସମନ୍ବୟ ସମିତି –ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକ ସଫଳ ହୋଇଛି।  ୧ ଓ୨ ନମ୍ବର ସଂଘ  ଦୁଇ ଦଫା ଦାବି ୪ମାସର ଅଗ୍ରୀମ ଦରମା ଏକା ସହ ପ୍ରଦାନ କରିବା ଓ ୨୦୧୨-୧୫ ତ୍ରିପାକ୍ଷୀକ ଚୁକ୍ତିକୁ ଲାଗୁ କରିବାକୁ ଦାବି କରି କାର୍ଯ୍ୟବନ୍ଦ କରିଥିବା ବେଳେ ୩ ଓ ୪ କଂପାନୀ ପ୍ରକାଶ କରିଥିବା ବିଞପ୍ତିରେ ରାଜି ହୋଇଥିଲେ। ତେବେ ବିବାଦ ମଧ୍ୟରେ ଗତ ମାସ ‌୯ଘଣ୍ଟା ଧରି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକ ଫେଲ୍ ମାରିଥିଲା। ତେବେ ଗତ କାଲିର ବୈଠକ ସଫଳ ହେବା ସହ ଦୀର୍ଘ ସାଢ଼େ ୪ମାସ ପରେ ମିଲ୍ କାର୍ଯ୍ୟକ୍ଷମ ହୋଇଛି। ୧ ଓ୨ ନଂ ଶ୍ରମିକ ସଂଘ ଜିଦ୍ ରୁ ଓହରିଥିବା ବେଳେ କଂପାନୀ ନିଜ ଜିଦକୁ ମନାଇବାରେ ସଫଳ ହୋଇଛି।

Advertisment

କାଗଜକଳ ପରିସରରେ   ଯୁଗ୍ମ ଶ୍ରମ ଆୟୁକ୍ତ ନରେନ୍ଦ୍ର ରାଇକା,ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ,କାଗଜକଳର ଉପଦେଷ୍ଟା ଏମ୍. କେ. ଗୁପ୍ତା, ୟୁନିଟ୍‌ ମୁଖ୍ୟ ଏସ୍. ଏସ୍. ପାଲଙ୍କ ସହ ୪ଟି ଶ୍ରମିକ ସଂଘର ମିଳିତ ଆଲୋଚନା ପାଇଁ  ସମନ୍ବୟ ବୈଠକ ଡାକି ଥିଲେ।

ଗତ ଜୁଲାଇ ମାସରୁ କଂପାନୀ ବନ୍ଦ ରହିଥିବାରୁ କଂପାନିର ଆର୍ଥିକ ପରିସ୍ଥିତି ସୁଧିରି ନଥିବା କାଗଜକଳର ଉଚ୍ଚ କର୍ତ୍ତୃପକ୍ଷ କହିଥିଲେ। ଜୁନମାସର ଦରମା ସହ ୫୦ ପ୍ରତିଶତ ଭତ୍ତା କର୍ମଚାରୀଙ୍କ ଆକାଉଣ୍ଟରେ କଂପାନି ଜମା କରିଥିଲେ। ସେଭଳି ଦ୍ବିତୀୟ ଦରମା ଏହି ମାସର ଶେଷ ସପ୍ତାହ ଆଡକୁ ଦେବେ  ବୋଲି କଂପାନୀ ପକ୍ଷରୁ ଅବଗତ କରାଯାଇଥିଲା। ଏହା ପରେ ପ୍ରତ୍ୟେକ ମାସରେ ସେହି ମାସର ଦରମା ସହ ଦୁଇ ମାସ ପୁରୁଣା ଦରମା ପ୍ରଦାନ କରିବେ ବୋଲି କର୍ତ୍ତୃପକ୍ଷ ଅବଗତ କରିଥିଲେ। ଅନ୍ୟ ସବୁ ସମସ୍ୟା ସଂପର୍କରେ ମିଲ୍ ଚାଳିବାର ୬ମାସ ପରେ ଆପୋଷରେ ବସି ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିଲା। ୨ଟି ସଂଘର ସଭାପତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ  ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ଉଦ୍ୟମରେ ଆଲୋଚନା ସଫଳ ହୋଇଛି ବୋଲି ୪ଟି ଶ୍ରମିକ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି। ଦଶହରା ଓକାର୍ତ୍ତିକପୁର୍ଣ୍ଣିମାରେ କଂପାନି ଦରମା ଦେଇନଥିବା ବେଳେ ଦୀପାବଳୀରେ ଦରମା ମିଳିଥିବାରୁ ଶ୍ରମିକ ମହଲରେ ଖୁସି ଦେଖିବାକୁ ମିଳିଥିଲା।