ଜୟପୁର: ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ ପକ୍ଷରୁ ସାରା ଭାରତ ବର୍ଷରେ ରେଲବାଇର ବିକାଶ ଓ ଦେଶର ପ୍ରଗତି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ସାରା ଭାରତରେ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ରେଳ ଷ୍ଟେସନ ମାନଙ୍କର ପୁନର୍ବିକାଶ ଲକ୍ଷରେ ୫୦୮ରେଳ ଷ୍ଟେସନର ଆତ୍ୟାଧୁନିକରଣ କରାଯିବ। ଏଥିରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସାମିଲ ହୋଇପାରିଛି। ଜୟପୁର ଷ୍ଟେସନକୁ ଏହି ତାଲିକାରେ ରହିବ ବୋଲି ପୂର୍ବରୁ ତତ୍କାଳୀନ ଡିଆରଏମ୍ ଅନୁପ କୁମାର ଶତପଥୀ ଜୟପୁର ଷ୍ଟେସନକୁ ଗସ୍ତରେ ଆସିଥିବା ବେଳେ କହିଥିଲେ। ବାରମ୍ବାର ପରିଦର୍ଶନ କରି କଣ କଣ କରାଯିବ ତାହାର ବ୍ଲୁପ୍ରିଣ୍ଟର ତଦାରଖ ବି କରିଥିଲେ। ବିଭିନ୍ନ ମଂଚ, ସଂଗଠନ, ଦଳ ଗୁଡିକ ବି ଭେଟି ତାଙ୍କୁ ଏସଂପର୍କରେ ଦାବିପତ୍ର ଦେବା ସହ ଆଲୋଚନା ବି କରି ଆସୁଥିଲେ। ସେ ଦେଇଥିବା ସେତେବେଳର ପ୍ରତିଶ୍ରୃତି ଆଜିକାର ଘୋଷଣା ପରେ ପୁସ୍ ହୋଇ ଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି।
ପୂର୍ବତଟ ରେଳପଥ ଅଧିନସ୍ଥ ବିଶାଖାପାଟଣା ମଣ୍ଡଳର ୧୬ଟି ଷ୍ଟେସନକୁ ଏଥିରେ ସାମିଲ କରାଯାଇଥିବା ତତ୍କାଳୀନ ଡିଆରଏମ୍ ଘୋଷଣା କରିଥିଲେ। ଏହି ଯୋଜନାରେ ଛତିଶଗଡର ଜଗଦଲପୁର, କୋରାପୁଟ ଜିଲ୍ଲାର ଜୟପୁର ଓ ଦାମନଯୋଡି ଷ୍ଟେସନକୁ ସାମିଲ କରାଯିବ ବୋଲି କହିଥିଲେ। ତେବେ ଏଥିରୁ କେବଳ ଦାମଯୋଡି ଷ୍ଟେସନକୁ ସାମିଲ କରାଯାଇଥିଲେ ହେଁ ଜୟପୁର ଷ୍ଟେସନର ନାଁ ହିଁ ନାହିଁ। ଏହି ଯୋଜନାରେ ଷ୍ଟେସନର ସଂପୂର୍ଣ୍ଣ ରୂପରେଖ, ଭିତ୍ତିଭୂମି, ଭିନ୍ନକ୍ଷମ, ମହିଳା, ବୃଦ୍ଧବୃଦ୍ଧା ଆଦିଙ୍କୁ ଦୃଷ୍ଟିରେ ରଖି ଅନୁଷଙ୍ଗିକ ସୁବିଧାସୁଯୋଗ ଯୋଗାଇବା ଯୋଜନା ରହିଥିଲା। ପୁରୁଣା ଷ୍ଟେସନ କୋଠା ଓ ଜାତୀୟ ରାଜପଥ ମଧ୍ୟସ୍ଥ ପୁରୁଣ ଗୁଡସ୍ ସେଡ୍ ନିକଟରେ ନୂଆ ଷ୍ଟେସନ କୋଠା ନିର୍ମାଣ ପାଇଁ ବି ସ୍ଥାନ ନିରୁପଣ କରିଥିଲେ। କର୍ମଚାରୀଙ୍କ ନୂଆ କ୍ବାର୍ଟସ ସହ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଷ୍ଟେସନ ନିର୍ମାଣ ହେବ ବୋଲି ତତ୍କାଳୀନ ଡିଆରଏମ୍ ଷ୍ଟେସନ ଗସ୍ତ ବେଳେ ଘୋଷଣା କରିଥିଲେ। ଯଦିଓ ଦେଶ ପାଇଁ ଆଜି ଖୁସିର ଦିନ ହୋଇଥିଲେ ହେଁ ଜୟପୁର ଅଂଚଳବାସୀ ଷ୍ଟେସନ ଅମୃତଭାରତରେ ସାମିଲ ହୋଇପାରିନଥିବାରୁ ଖୁସି ପ୍ରକଟ କରି ନାହାନ୍ତି। ରେଳମନ୍ତ୍ରଳାୟ ଓ ରେଳବିଭାଗ ଜୟପୁର ପରି ବ୍ୟସ୍ତ ଷ୍ଟେସନକୁ ଏଭଳି ଅଣଦେଖା କରିବା ଯୁକ୍ତିସଂଗତ ନୁହେଁ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି। ଏହି ଷ୍ଟେସନ ଦେଇ ଏବେ ୫ଟି ଯାତ୍ରୀବାହି ଟ୍ରେନ ସହ ଦିନ ତମାମ ମାଲବୋଝଇ ଗୁଡସ୍ ଟ୍ରେନ ଚଳାଚଳ କରୁଛି। ପୂର୍ବତଟ ରେଳବାଇ ବିଶାଖାପାଟଣା ମଣ୍ଡଳର ସବୁ ଠାରୁ ଆୟକାରୀ ରୁଟର ଅଧିକା ଯାତ୍ରୀ ଯାଆସ କରୁଥିବା ଷ୍ଟେସନର ରୁପରେଖ କେବେ ପରିବର୍ତ୍ତନ ହେବ ତାହା ସମୟ ହିଁ କହିବ।