ବନ୍ୟା ବେଳେ ୭ଦିନରେ ୧୩୨୪ଟି କେ-୨
୧କୋଟି ୨୦ ଲକ୍ଷ ଟଙ୍କା ହେରଫେର
ଫନି ପୂର୍ବରୁ ବି ମରାମତି
ଯାଜପୁର/ସଦର : ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଅଧିକାରୀଙ୍କ ମଉଜ। ଏହାର ନମୁନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ୨୦୨୦ ବନ୍ୟାରେ ଯାଜପୁର ଜିଲ୍ଲାର ଲକ୍ଷାଧିକ ଲୋକ ଯେତେବେଳେ ପାଣି ଘେରରେ ରହି ଭୋକ ଉପବାସରେ ଛଟପଟ ହେଉଥିଲେ ସେହି ସମୟରେ ଗ୍ରାମ୍ୟ ଉନ୍ନୟନ (ଆରଡି) ଯାଜପୁର ଡିଭିଜନ୍-୧ରେ ଯନ୍ତ୍ରୀ ଓ ଠିକାଦାରଙ୍କର ଅସାଧୁମେଣ୍ଟ ସରକାରୀ ଅନୁଦାନର ହରିଲୁଟ୍ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଚାଲିଥିଲେ। ରାସ୍ତାଘାଟ ମରାମତି ଆଳରେ କେ-୨( ୧୦ ହଜାର ଟଙ୍କାରୁ କମ୍) ହାତ ଚିଠାରେ ଅତି ଜରୁରି ସେବା ଯୋଗାଇ ଦେବା ବାହାନାରେ ମିଥ୍ୟା ବିଲ୍ କରି ଅସାଧୁମେଣ୍ଟ ଭାଗବାଣ୍ଟି ନେଇଛନ୍ତି। ଚୋର ଯେପରି ଅଜାଣତରେ କିଛି ସୁରାଗ ଛାଡ଼ିଦେଇଥାଏ ଠିକ୍ ସେହିପରି ଫନି ବାତ୍ୟାର ୪ଦିନ ପୂର୍ବରୁ ମଧ୍ୟ ଏକାଧିକ କେ-୨ କରାଯାଇଛି। ରାସ୍ତା ଖରାପ ଓ ଗଛ ଭାଙ୍ଗି ଅବରୋଧ ପୂର୍ବରୁ ବି କାମ କରାଯାଇଥିବାର କାଗଜପତ୍ର କରାଯାଇଛି। ମାତ୍ର ଅଧିକାରୀ ଜାଣିବା ପରେ ଧରାପଡ଼ିଯିବା ଭୟରେ ତାହା କଟାଯାଇ ପୁଣି ଫନି ପରବର୍ତ୍ତୀ ତାରିଖ ଦର୍ଶାଯାଇଛିି। ଯାଜପୁର ଜିଲ୍ଲାରେ ଥିବା ଆରଡି ଡିଭିଜନ୍-୧(ଯାଜପୁର) ଓ ଡିଭିଜନ୍-୨(ଜାରକା)ରେ କୋଟି କୋଟି ଟଙ୍କା ମହାଦୁର୍ନୀତି ତଥ୍ୟ 'ସମ୍ବାଦ' ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ମହାଦୁର୍ନୀତି ଖବର ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି।
ପ୍ରକାଶ ଥାଉକି ଗତବର୍ଷ ଅଗଷ୍ଟ ମାସ ଶେଷ ଭାଗରେ ଯାଜପୁର ଜିଲ୍ଲାରେ ଯେଉଁ ବନ୍ୟା ହୋଇଥିଲା ସେଥିରେ ଲକ୍ଷାଧିକ ଜିଲ୍ଲାବାସୀ ପାଣି ଘେରରେ ରହିଥିଲେ। ଏହି ସମୟରେ ଯାଜପୁର ଆରଡି ଡିଭିଜନର କେତେକ ଯନ୍ତ୍ରୀ ଓ ଠିକାଦାରଙ୍କ ଆସାଧୁମେଣ୍ଟ ଶହ ଶହ କେ-୨ କରି ଲକ୍ଷ ଲକ୍ଷ ଟଙ୍କା ବାଣ୍ଟି ନେଇଛନ୍ତି। ଗୋଟିଏ ସପ୍ତାହରେ ୧୩୨୪ଟି କେ-୨ କରାଯାଇଛି। ଫନି ପରେ ୩୨ଟି ଓ ବନ୍ୟାରେ ୧୩୨୪ଟି କେ-୨ କରାଯାଇଛି। ଗତ ୨ବର୍ଷ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୧୩୫୬ଟି କେ-୨ ଜରିଆରେ ୧କୋଟି ୨୦ ଲକ୍ଷରୁ ଅଧିକ ଟଙ୍କାର ଅନୁଦାନ ହେରଫେର ହୋଇଛି। ଶହ ଶହ ମିଥ୍ୟା କେ-୨ କରିବା ସମୟରେ ଫନି ପୂର୍ବ ସପ୍ତାହରେ ମଧ୍ୟ ବିଲ୍ କରିଥିଲେ। ମାତ୍ର ଏହି ସାଙ୍ଘାତିକ ତଥ୍ୟ ଲୋକଲୋଚନକୁ ଆସିବା ପୂର୍ବରୁ ଅଧିକାରୀ ତାରିଖ ପରିବର୍ତ୍ତନ କରିଥିବାର କେ-୨ ଫାଇଲ୍ରେ ଦର୍ଶାଯାଇଛି। ୨୦୧୯ ମେ ୪ରୁ ୬ତାରିଖ ୨ଦିନରେ ୩୨ଟି କେ-୨ ହୋଇଛି। ମାତ୍ର ୨୦୨୦ ମେ ୩ ରୁ ୯ତାରିଖ ମଧ୍ୟରେ ୧୩୨୪ଟି କେ-୨ ହୋଇଛି। ଯାଜପୁର ଡିଭିଜନ-୧ ଅନ୍ତର୍ଗତ ବିଂଝାରପୁର, ଯାଜପୁର, ଡୁବୁରି ଓ ଯାଜପୁରରୋଡ ସବଡିଭିଜନରେ ଜଣେ ଜଣେ ଠିକାଦାରଙ୍କ ନାମରେ ଗୋଟିଏ ଗୋଟିଏ ଦିନ ଶହ ଶହ କେ-୨ ନିର୍ଦ୍ଦିଷ୍ଟ ରାସ୍ତାରେ କରାଯାଇଛି। ଏପରିକି ମହିଳା ଠିକାଦାର ମଧ୍ୟ ଅଛନ୍ତି। ଜରୁରି ସେବା ବେଳେ ଜଣେ ଜଣେ ଠିକାଦାର ଶହ ଶହ କେ-୨ କାମ ବନ୍ୟା ସମୟରେ କଲେ କିପରି? ସୂଚନା ଅଧିକାର କର୍ମୀ ସୁଦିପ୍ତ ପଣ୍ଡା ଏ ନେଇ ଆଇନ୍ର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛନ୍ତି। କେ-୨ କେଳେଙ୍କାରୀ ସମ୍ପର୍କରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କର ଦୃଷ୍ଟିକୁ ଗଣମାଧ୍ୟମ ପ୍ରତିନିଧିମାନେ ଆଣିବା ପରେ ସେ ବିସ୍ମୟ ପ୍ରକାଶ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/jajpur-flood.jpg)